
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ସମାଜସେବୀ, ଠିକାଦାର, ବ୍ୟବସାୟୀ ତଥା ବିଶିଷ୍ଟ ରାଜନୈତିକ ବ୍ୟକ୍ତି ଭାବେ ପରିଚିତ ପଦ୍ମଚରଣ ପାଣିଗ୍ରାହୀ (୬୪)ଙ୍କ ମଙ୍ଗଳବାର ସକାଳେ ବାଲିଗୁଡା ନିଜ ବାସଭବନରେ ପରଲୋକ ହୋଇଯାଇଛି । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିବା ସହ ସ୍ଥାନୀୟ ବଣିକ ସଂଘ ତରଫରୁ ସ୍ୱର୍ଗତ ପାଣିଗ୍ରାହୀଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ମଙ୍ଗଳବାର ଦିନ ତମାମ ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଥିଲା । ତାଙ୍କରି ପ୍ରଚେଷ୍ଟାରେ ବାଲିଗୁଡା ନିକଟସ୍ଥ ବିରାଗୁଡା ଠାରେ ମା’ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଆୟୋଜନ କରିଥିଲେ । ସେ ଏକାଧାରରେ ଜଣେ ମେଳାପୀ, ପରୋପକାରୀ, ବନ୍ଧୁ ବତ୍ସଳ, ତଥା ବରିଷ୍ଠ ରାଜନୀତିଜ୍ଞ ଭାବେ ବେଶ ଜଣାଶୁଣା ଥିବା ସହ ବିଭିନ୍ନ ଅନୁଷ୍ଠାନର ପଦ ପଦବୀରେ ରହି ଆସିଥିଲେ । ତାଙ୍କ ବିୟୋଗରେ ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁମାନେ ଗଭୀର ମର୍ମାହତ ହୋଇଛନ୍ତି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ବନ୍ଧୁ ପରିଜନ ଓ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ପାଣିଗ୍ରାହୀଙ୍କ ମର ଶରୀରକୁ ନିଜ ବାସଭବନ ଠାରୁ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରିବା ସମୟରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ପୁରୀ ସ୍ଥିତ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର ସମାପନ ହୋଇଥିଲା ।
