ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

  • ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ମହାନଗର ନିଗମ ଗ୍ରନ୍ଥାଳୟ ସହ ୨ଟି ଶୀତଳ ଭଣ୍ଡାର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍‌ଏମ୍‌ସି ତରଫରୁ ବିବିଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସ୍ଥାନୀୟ ମଧୁସୂଦନ ମାର୍ଗ ନିକଟରୁ ଆର୍‌ଏମ୍‌ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଆର୍‌ଏମ୍‌ସି କର୍ମଚାରୀ, ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଏଥି ସହ ରାଉରକେଲାବାସୀଙ୍କ ସେବାରେ ନିୟୋଜିତ ବିଭିନ୍ନ ଗାଡ଼ି ଗୁଡ଼ିକୁ ଏହି ଶୋଭାଯାତ୍ରାରେ ସାମିଲ କରାଯାଇଥିଲା । ଶନିବାର ରାଜ୍ୟସ୍ତରୀୟ ସ୍ଵାୟତ୍ତ ଶାସନ ଦିବସ ସମାରୋହ ଅବସରରେ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୦ଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ତଥା ଶିଳାନ୍ୟାସ କରିଥିଲେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ମହାନଗର ନିଗମ ଗ୍ରନ୍ଥାଳୟ ଏବଂ ପାନପୋଷ ଓ ଫର୍ଟିଲାଇଜରରେ ୨ଟି ଶୀତଳ ଭଣ୍ଡାରର ଲୋକାର୍ପଣ କରିଥିଲେ । ଏହି ଅବସରରେ ଆର୍‌ଏମ୍‌ସି ସମ୍ମିଳନୀ କକ୍ଷରେ ଆୟୁଷ୍ମାନ ଆରୋଗ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ଆର୍‌ଏମ୍‌ସି କର୍ମଚାରୀଙ୍କ ସମେତ ସଫେଇ କର୍ମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଥିଲା । ସ୍ଵାୟତ୍ତ ଶାସନ ଦିବସକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସ୍ଥାନୀୟ ସୁଭାଷ ବୋଷ ପାର୍କରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମହାନଗର ନିଗମର କର୍ମଚାରୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପୂର୍ବକ ଏକକ ଅଭିନୟ ଓ ନୃତ୍ୟ ପରିବେଷଣ କରିଥିଲେ । ଆଶା କର୍ମୀ ଓ ମହିଳା ଆରୋଗ୍ୟ ସମିତିର ସଦସ୍ୟମାନେ ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ ଡ଼େଙ୍ଗୁ ରୋଗ ବିଷୟରେ ସଚେତନତା ସୃଷ୍ଟି କରାଇଥିଲେ । ଏଥିସହ ସଫେଇ କର୍ମଚାରୀମାନଙ୍କ ଦ୍ଵାରା ମଧ୍ୟ ଏକ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା । ସ୍ଵାୟତ୍ତ ଶାସନ ଦିବସ ଅବ୍ୟବହିତ ଅବ୍ୟବହିତ ପୂର୍ବରୁ ମହାନଗର ନିଗମର କର୍ମଚାରୀ ମାନଙ୍କ ମଧ୍ୟରେ କ୍ରିକେଟ, ଫୁଟବଲ୍, ଚେସ୍, ଲୁଡୁ, ରଶି ଟଣା, କବାଡ଼ି, ରଙ୍ଗୋଲି, ଗୁପ୍‌ଚୁପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ, ଉପ ପୌରାୟୁକ୍ତ ତରୁଣ କାନ୍ତ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକ, ସହକାରୀ ଆୟୁକ୍ତ ଅଭିଷେକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମଞ୍ଚ ସଂଚାଳନ ସୁଦୀପ୍ତ ଦାସ କରିଥିବା ବେଳେ ଆର୍‌ଏମ୍‌ସିର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.