shyamal

ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୪ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ

  • ମିଶନ ପୋଷଣ ୨.୦ ସାରା ଦେଶରେ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କ ପୁଷ୍ଟିହୀନତା ବିରୋଧରେ ଲଢ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ : କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ
  • ରକ୍ତହୀନତା, ଅଭିବୃଦ୍ଧି ନିରୀକ୍ଷଣ, ପରିପୂରକ ଖାଦ୍ୟ, ପୋଷଣ ବି ପଢ଼ାଇ ଭି, ଉନ୍ନତ ଶାସନ ପାଇଁ ଟେକ୍ନୋଲୋଜି ଏବଂ ଏକ ପେଡ୍ ମା’ କେ ନାମ ସପ୍ତମ ପୋଷଣ ମାସର ମୁଖ୍ୟ ବିଷୟବସ୍ତୁ

ନୂଆଦିଲ୍ଲୀ, (ପିଆଇବି) : ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରୁ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ କରାଯାଇଛି । ସମଗ୍ର ଦେଶରେ ପୋଷଣ ସମ୍ବନ୍ଧୀୟ ସଚେତନତା ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ, ଗୁଜରାଟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଭାନୁବେନ ବାବରିଆ, ଭାରତ ସରକାର ଏବଂ ଗୁଜରାଟ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ‘ଏକ ପେଡ଼ ମା’ କେ ନାମ’ ଅଭିଯାନ ଅଧୀନରେ ଦେଶବ୍ୟାପୀ ବୃକ୍ଷରୋପଣ ଅଭିଯାନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗୁଜରାଟ ଶିଶୁ ବିକାଶ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ମିଶି କେନ୍ଦ୍ର ମନ୍ତ୍ରୀ ଗାନ୍ଧୀନଗରସ୍ଥିତ ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ଅଭିଯାନର ନେତୃତ୍ୱ ନେଇଥିଲେ ଏବଂ ପୁଷ୍ଟିସାଧନ ଓ ପରିବେଶ ସ୍ଥାୟୀତ୍ୱର ଗୁରୁତ୍ୱର ପ୍ରତୀକ ସ୍ୱରୂପ ଫଳ ଗଛ ରୋପଣ କରିଥିଲେ । ମୁଖ୍ୟ କାର୍ଯ୍ୟକ୍ରମ ମହାତ୍ମା ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଗୁଜରାଟ ମୁଖ୍ୟମନ୍ତ୍ରୀ ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ଏହି ଅବସରରେ ଭୂପେନ୍ଦ୍ରଭାଇ ପଟେଲ ଦେଶର ବିକାଶ ପାଇଁ ଦୃଢ଼ ଓ ସୁସ୍ଥ ମାନବ ସମ୍ବଳ ନିର୍ମାଣରେ ପୋଷଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ତାଙ୍କ ଅଭିଭାଷଣରେ ଶିଶୁ ଓ କିଶୋରଙ୍କ ଉନ୍ନତ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଏବଂ ଜୀବନଚର୍ଯ୍ୟା ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଇ ପୁଷ୍ଟିହୀନତାର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଥିଲେ । ସୁଶାସନ, ସମନ୍ୱୟ, ଦକ୍ଷତା ବୃଦ୍ଧି, ଗୋଷ୍ଠୀ ଅଂଶଗ୍ରହଣ ଏବଂ ମାଲିକାନା ଭଳି ଚାରୋଟି ସ୍ତମ୍ଭ ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହା ଉପରେ ପୋଷଣ ୨.୦ର ସଫଳତା ନିର୍ଭର କରେ । ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଅନୀଲ ମଲ୍ଲିକ ମଧ୍ୟ ଏହି ସଭାରେ ଉଦ୍‌ବୋଧନ ଦେଇ ଖାଦ୍ୟ ବିବିଧତାକୁ ପ୍ରୋତ୍ସାହିତ କରିବା ସହ ଦୈନନ୍ଦିନ ଖାଦ୍ୟରେ ସ୍ଥାନୀୟ ସ୍ତରରେ ଉତ୍ପାଦିତ ସୁସ୍ଥ ଖାଦ୍ୟକୁ ଅନ୍ତର୍ଭୁକ୍ତ କରିବାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ପାଇଁ ପୋଷଣ ଝୁଡ଼ି ଯୋଗାଇ ଦିଆଯାଇଥିଲା ଏବଂ ଶିଶୁମାନଙ୍କ ପାଇଁ ଅନ୍ନପ୍ରାସନ କରାଯାଇଥିଲା । ବାହଲି ଡିକ୍ରି ଯୋଜନା, ବିଧବା ପେନସନ୍ ଯୋଜନା, ବିଧବା ପୁନର୍ବିବାହ ସହାୟତା ଯୋଜନା ଓ ମହିଳା ସ୍ୱାଲମ୍ବନ ଯୋଜନା ସମେତ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ବିଶିଷ୍ଟ ବ୍ୟକ୍ତିମାନେ ନିଜ ନିଜ ଯୋଜନାର ହକ୍‌ ପ୍ରଦାନ କରିଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଦର୍ଶାଉଥିବା ଏକ ପ୍ରଦର୍ଶନୀ ଯଥା : ପୋଷଣ ଟ୍ରାକର, ପୋଷଣ ଭି ପଢାଇ ଭି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନ୍ୟାନ୍ୟ ପୋଷଣ ଓ ମହିଳା ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ ଯଥା ‘ଭଙ୍ଗୀ ପ୍ରସାରଣ’, ୧୮୧ ହେଲ୍ପଲାଇନ୍ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ତନ୍ୟପାନ ଓ ପରିପୂରକ ଖାଦ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ବିଭିନ୍ନ ଆଞ୍ଚଳିକ ସାଂସ୍କୃତିକ ପ୍ରଦର୍ଶନୀ ଓ ନାଟକ ପୋଷଣର ଗୁରୁତ୍ୱ ଉପରେ ଅଧିକ ଆଲୋକପାତ କରିଥିଲା । ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୪ରେ ରକ୍ତହୀନତା, ଅଭିବୃଦ୍ଧି ନିରୀକ୍ଷଣ, ପରିପୂରକ ଖାଦ୍ୟ, ପୋଷଣ ଭି ପଢାଇ ଭି, ଉନ୍ନତ ଶାସନ ପାଇଁ ପ୍ରଯୁକ୍ତି ବିଦ୍ୟା ଏବଂ ଏକ ପେଡ୍ ମା’ କେ ନାମ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ‘ସୁପୋଷିତ ଭାରତ’ର ସ୍ୱପ୍ନକୁ ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୋଷଣ ମାସ ଏକ ଦେଶବ୍ୟାପୀ ପର୍ବ ପାଲଟିଛି ଏବଂ ଏହା ଜନ ଆନ୍ଦୋଳନର ରୂପ ନେଉଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏହାର ମିଶନ ପୋଷଣ ୨.୦ ଜରିଆରେ ସାରା ଦେଶରେ ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ମଧ୍ୟରେ ପୁଷ୍ଟିହୀନତାର ମୁକାବିଲା କରିବାକୁ ପ୍ରତିଶ୍ରୁତିବଦ୍ଧ । ମାସେ ଧରି ଚାଲିବାକୁ ଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶରେ ପୁଷ୍ଟିହୀନତାର ମୁକାବିଲା ଏବଂ ସାମଗ୍ରିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସକୁ ଆହୁରି ତୀବ୍ର କରିବା ।

purusottam
Leave A Reply

Your email address will not be published.