ଜେଏସପି ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୨ ପାଳିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜେଏସପି ଫାଉଣ୍ଡେସନ ଦ୍ୱାରା ପରିଚାଳିତ ‘ଆଶା ଦି ହୋପ’ ପକ୍ଷରୁ ଅନୁଗୋଳ ଜିଲ୍ଲାର ବେଣାଗାଡିଆ ହାଇସ୍କୁଲରେ ୨୦୨୨ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ (ଆଇଡିପିଡବ୍ଲୁଡି) ପାଳିତ କରାଯାଇଛି । ଆଇଡିପିଡବ୍ଲୁଡିର ୨୦୨୨ ନିମନ୍ତେ ଆଧାରିତ ଥିମ୍ ‘ଅନ୍ତର୍ଭୂକ୍ତ ବିକାଶ ପାଇଁ ପରିବର୍ତ୍ତନଶୀଳ ସମାଧାନ : ଏକ ସୁଗମ ତଥା ସମାନ ବିଶ୍ୱକୁ ପ୍ରୋତ୍ସାହିତ କରିବାରେ ଉଦ୍ଭାବନର ଭୂମିକା’ ଉପରେ ଗୁରୁତ୍ଵ ପ୍ରଦାନ କରିବା ସହ ‘ଆଶା ଦି ହୋପ’ର ପିଲାମାନଙ୍କ ସହିତ ପ୍ରାୟ ୧୦୦ ଭିନ୍ନକ୍ଷମ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବେନାଗଡିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ଧୃବ ଚରଣ ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଦୁର୍ଯ୍ୟୋଧନ ଦାସ ଏହି କାର୍ଯ୍ୟକ୍ରମରେ ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବା ସହ ଜେଏସପି ଫାଉଣ୍ଡେସନର ଏହି ନିୟାରା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ଶିଶୁମାନେ ବିଭିନ୍ନ ଗୀତ, ନୃତ୍ୟ ଇତ୍ୟାଦି କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ଏବଂ ଅତିଥିଙ୍କ ଠାରୁ ପୁରସ୍କାର ଲାଭ କରିଥିଲେ । ଏହି ଦିନକୁ ଗୋଟିଏ ସ୍ମରଣୀୟ ଦିନ ଭାବେ ପାଳନ କରିବା ପାଇଁ ବେଣାଗାଡିଆ ଗ୍ରାମରେ ଏକ ସଚେତନତା ରାଲିର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଅବସରରେ ଏକ ବିଶେଷ ବାର୍ତ୍ତା ମାଧ୍ୟମରେ ଜେଏସପି ଫାଉଣ୍ଡେସନର ଚେୟାରମ୍ୟାନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ ‘ମୁଁ ଭିନ୍ନକ୍ଷମଙ୍କ ସାହସ ଏବଂ ଜୀବନଯାପନ ପାଇଁ ସେମାନଙ୍କ ସଂଗ୍ରାମ ତଥା ପ୍ରତିକୂଳ ପରିସ୍ଥିତିକୁ ଦୂର କରିବାର ଆତ୍ମବିଶ୍ୱାସ ପାଇଁ ସେମାନଙ୍କୁ ଗଭୀର ସମ୍ମାନ କରୁଛି । ବିଶେଷ ଆବଶ୍ୟକତା ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜେଏସ୍‌ପି ଫାଉଣ୍ଡେସନ୍ ସହାୟତା ଦେଇ ଆସୁଛି । ଆମର ‘ଆଶା ଦି ହୋପ’ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ବିଶେଷ ଆବଶ୍ୟକତା ଥିବା ନାଗରିକମାନଙ୍କ ପାଇଁ ଏକ ଅନ୍ତର୍ଭୂକ୍ତ ଏବଂ ସମାନ ଭାରତ ଗଠନ ପାଇଁ କାର୍ଯ୍ୟ କରୁଛୁ’ । ବର୍ତ୍ତମାନ ସୁଧା ଜେଏସପି ପ୍ଲାଣ୍ଟର ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡ ପ୍ରକଳ୍ପର ପାର୍ଶ୍ଵବର୍ତ୍ତୀ ଗ୍ରାମରେ ବସବାସ କରୁଥିବା ୫୦୦୦ରୁ ଊର୍ଦ୍ଧ୍ଵ ଦିବ୍ୟାଙ୍ଗ ଶିଶୁମାନେ ‘ଆଶା ଦି ହୋପ’ ମାଧ୍ୟମରେ ଲାଭାନ୍ଵିତ ହେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି ।

Leave A Reply

Your email address will not be published.

two × one =