
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବୁଧବାର “ବିଶ୍ୱ ଫିଜିଓଥେରାପି ଦିବସ” ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ସାଧାରଣ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ନିୟମିତ ଶାରୀରିକ ବ୍ୟାୟାମର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଅଲେଖ ପ୍ରଧାନ, ଫିଜିଓଥେରାପିଷ୍ଟ ଡାକ୍ତର ସନ୍ତୋଷିନୀ ପ୍ରଧାନ, ଡାକ୍ତର ସତ୍ୟଜିତ ପଣ୍ଡା, ଡାକ୍ତର ସିଲା ସୀତାରାମ, ମ୍ୟାନେଜର ଗଣେଶ ନାୟକ, ସହାୟିକା ରୋହିଣୀ ନାୟକ, ଫର୍ମାସୀ ଅଫିସର ଚନ୍ଦ୍ରଶେଖର ତ୍ରିପାଠୀ, ସିମାଞ୍ଚଳ ପଣ୍ଡା, ସୁରଜ ଚନ୍ଦ୍ର ପଣ୍ଡାଙ୍କ ସମେତ ଅନେକ କର୍ମଚାରୀଗଣ ଉପସ୍ଥିତ ରହିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ ସହାୟତା କରିଥିଲେ । ଏହି ଚିକିତ୍ସାଳୟରେ ପ୍ରତିଦିନ ପ୍ରାୟ ୪୦ ରୁ ୫୦ଜଣ ରୋଗୀଙ୍କୁ ଫିଜିଓଥେରାପି ସେବା ପ୍ରଦାନ କରାଯାଉଥିବା ବେଳେ ଏହା ଦ୍ୱାରା ଅନେକ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି ବୋଲି ସୂଚନା ମିଳିଛି । ସଭାରେ ବିଭିନ୍ନ ବାତ, ହାଡ଼-ଯୋଡ଼ ଯନ୍ତ୍ରଣା ଓ ସ୍ନାୟୁଗତ ସମସ୍ୟାର ସରଳ ଚିକିତ୍ସାରେ ଫିଜିଓଥେରାପିର ପ୍ରମୁଖ ଭୂମିକା ଉପରେ ଡାକ୍ତରୀ ଦଳ ଆଲୋଚନା କରିଥିଲେ । ବିନା ଔଷଧରେ କେବଳ ବ୍ୟାୟାମ ଏବଂ ସଠିକ୍ ପଦ୍ଧତି ଦ୍ୱାରା କିପରି ଶରୀରକୁ ସୁସ୍ଥ ଓ ଯନ୍ତ୍ରଣାମୁକ୍ତ ରଖାଯାଇପାରିବ, ସେ ନେଇ ଆଲୋକପାତ କରାଯାଇଥିଲା । ଏହା ସହିତ ଚିକିତ୍ସାଳୟକୁ ଆସିଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଗହଣରେ କେକ୍ କଟାଯାଇ ମିଷ୍ଠାନ ବଣ୍ଟନ କରିବା ସହ ଆବଶ୍ୟକୀୟ ଫିଜିଓଥେରାପି ପରାମର୍ଶ ପ୍ରଦାନ କରାଯାଇଥିଲା ।