jayashree

ନିଆରା ଢଙ୍ଗରେ ପାଳିତ ହେଲା ରକ୍ଷାବନ୍ଧନ

କେସିଙ୍ଗା, (ପ୍ରୀତେଶ ପଟେଲ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ରକ୍ଷାବନ୍ଧନ ପର୍ବ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଏନ୍.ସି.ସି, ୟୁଥ୍ ଓ ୟୁକୋ କ୍ଲବ ଓ ଏନର୍ଜି କ୍ଲବର ସମ୍ମିଳିତ ନିଷ୍ଠା ଓ ପ୍ରୟାସ କ୍ରମେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ରୀମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ଗଛରେ ରାକ୍ଷୀ ବାନ୍ଧିଥିଲେ ଏବଂ ପରିବେଶ ସୁରକ୍ଷାର ଏକ ଅଭିନବ ବାର୍ତ୍ତା ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନେ ତଥା ଉଭୟ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀମାନେ ବୃକ୍ଷମାନଙ୍କର ସୁରକ୍ଷା ଓ ଯତ୍ନ ନେବା ପାଇଁ ଶପଥ ନେଇଥିଲେ । ରାକ୍ଷୀର ସୁରକ୍ଷା ବନ୍ଧନକୁ ପ୍ରକୃତି ସୁରକ୍ଷା ସହ ଯୋଡ଼ି ଛାତ୍ରୀମାନେ ସମାଜକୁ ସୁସ୍ଥ ଓ ସବୁଜ ପରିବେଶ ଗଠନର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅଭିନବ କାର୍ଯ୍ୟକ୍ରମ ବିଦ୍ୟାଳୟରେ ରାକ୍ଷୀପୂର୍ଣ୍ଣିମା ପାଳନକୁ ଅଧିକ ଅର୍ଥପୂର୍ଣ୍ଣ କରିଥିବା ସହିତ ଛାତ୍ରୀମାନଙ୍କ ମନରେ ପରିବେଶ ପ୍ରତି ଭଲପାଇବା ଓ ପ୍ରକୃତିକୁ ସୁରକ୍ଷା କରି ସବୁଜ ଭବିଷ୍ୟତ ଗଢ଼ିବା ନିମନ୍ତେ ଦାୟିତ୍ୱବୋଧ ସୃଷ୍ଟି କରିଥିଲା ।

Leave A Reply

Your email address will not be published.