
ରାଉରକେଲା, (ସସ୍ମିତା ପ୍ରଧାନ) : ସୁନାଫୁଲ ସାହିତ୍ୟ ସଂସଦ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ସୁନାଫୁଲ ଶିଶୁ କିଶୋର ମେଳା, ଗଙ୍ଗାଧର ମେହେର ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ରକ୍ଷାବନ୍ଧନ, ନୃତ୍ୟ, ସଂଗୀତ ପରିବେଷଣ ସହ କୁନିକୁନି ପିଲାମାନଙ୍କ ଦ୍ଵାରା ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । ସଂସଦର ସଭାପତି ମହେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ସୁନିଲ କୁମାର ମହାନ୍ତିଙ୍କ ଆବାହକତ୍ୱ ଓ ସାଂସ୍କୃତିକ ସମ୍ପାଦିକା ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରଘୁନାଥପାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ସୁଦାମ ଚରଣ ଦାଶ, ସମାଜସେବୀ ଇଂ ଅଭୟ କୁମାର ଦାସ, ଅଶୋକ କୁମାର ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ସହ ସାଧାରଣ ସମ୍ପାଦକ ମହେନ୍ଦ୍ର ମହାନ୍ତି ଓ ମୁଖ୍ୟବକ୍ତା ଭାବେ କବି ରାଜୀବ ପାଣି ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ଏଭଳି ଆଗାମୀ ପିଢ଼ି ପାଇଁ କରୁଥିବା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଉପସ୍ଥିତ ଅତିଥି ଓ ଅଭିଭାବକଙ୍କୁ ରାକ୍ଷୀ ବନ୍ଧନ ସହ ମିଷ୍ଟାନ୍ନରେ ଆପ୍ୟାୟିତ କରାଯାଇଥିଲା । ସେହିପରି ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଗଙ୍ଗାଧରଙ୍କ ଜୀବନାଦର୍ଶ ସହ ସଂଗୀତ ଓ ସୁଶ୍ରୀ ଅଶିଂତା ବିଶ୍ୱାଳ, ଶୁଭଲକ୍ଷ୍ମୀ ବେହେରା, ସାଇଚିତ୍ରା ସାହୁ, ସଂଗୀତା ରାଉତ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୌମ୍ୟଶ୍ରୀ ମହାନ୍ତି, ସତ୍ୟନାରାୟଣ ପଣ୍ଡା, ସୌମ୍ୟଜିତ ଓ ସତ୍ୟଜିତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବ୍ରହ୍ମାନନ୍ଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।