
ରାଉରକେଲା, (ସସ୍ମିତା ପ୍ରଧାନ) : ରକ୍ଷାବନ୍ଧନ ଅବସରରେ ଗୁରୁବାର ମହିଳାଯାତ୍ରୀଙ୍କୁ ଆମ ବସ୍ ପକ୍ଷରୁ ମାଗଣା ବସ୍ ସୁବିଧା ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । କମ୍ପ୍ରେହେନ୍ସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏନେଇ ସୂଚନା ଦିଆଯାଇ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସରେ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଥିଲା । ତେବେ ଏହି ସୁବିଧା ରାଉରକେଲାରେ ଦେଖିବାକୁ ମିଳିନଥିଲା । ସହରରେ କେବଳ ଗୋଟିଏ କିମ୍ବା ଦୁଇଟି ଆମ ବସ ଚଳାଚଳ କରୁଥିଲା । ଦୈନିକ ସହରରେ ଶହଶହ ଆମବସ ଚଳାଚଳ କରୁଥିବା ବେଳେ ହଠାତ୍ ଆମ ବସ ଉଭାନ ହେବା ଏହା, କେବଳ ମହିଳାମାନଙ୍କୁ ଭକୁଆ ବନାଇବା ପାଇଁ ଏହା ଉଦ୍ଧିଷ୍ଟ ବୋଲି ସହରରେ ଚର୍ଚ୍ଚା ହେଉଛି । ଏଥିପାଇଁ ଆମ ବସରେ ଯାତାୟାତ କରୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାକ୍ଷୀପୂର୍ଣ୍ଣିମା ପାଇଁ ମହିଳା ମାନଙ୍କୁ ମାଗଣା ବସ ସେବା ବହୁ ଆଡ଼ମ୍ବରେ ଲଘୁକ୍ରିୟା ସଦୃଶ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଓ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି । ସୂଚନାଯୋଗ୍ୟ ଯେ, ସୁରକ୍ଷିତ ଓ ସମାବେଶୀ ଜନପରିବହନ ମାଧ୍ୟମରେ ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ଗତିଶୀଳତା ଆହୁରି ଦୃଢ଼ ହେବ । ସୁରକ୍ଷିତ ଯାତ୍ରା ପାଇଁ ଜିପିଏସ୍ ଆଧାରିତ ବସ ଟ୍ରାକିଂ, ସିସିଟିଭି ନିରୀକ୍ଷଣ, ପ୍ରଶିକ୍ଷିତ ବସ କର୍ମଚାରୀ ଓ ଯାତ୍ରୀ ସହାୟତା ବ୍ୟବସ୍ଥା ଭଳି ସୁବିଧା ସହ ଆମବସ୍ ସେବାକୁ ଅଧିକ ନିରାପଦ ଓ ନିର୍ଭରଯୋଗ୍ୟ କରାଯାଉଛି ବୋଲି କୁହାଯାଉଥିଲେ ହେଁ ଏହା ରକ୍ଷାବନ୍ଧନ ଦିନ କାମ ଦେଇନଥିଲା ।