
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣଯାତ୍ରା ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଲପକ୍ଷ ଦଶମୀ ଯୁକ୍ତ ଏକାଦଶୀ ତିଥିରେ ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଝୁଲଣଯାତ୍ରା ପାଞ୍ଚଦିନ ଧରି ଚାଲିବ ଏବଂ ଭାଦ୍ରବ ମାସ ପ୍ରତିପଦା ରାକ୍ଷୀପୂର୍ଣିମା ଶୁକ୍ରବାରରେ ଶେଷ ହେବ।ପ୍ରତ୍ୟକ ଦିନ ଠାକୁରଙ୍କ ସନ୍ଧ୍ୟା ଆଳତି ଓ କର୍ପୂର ଆଳତି ପରେ ଚାମର ଆଲଟ, ମଶାଲ, ଘଣ୍ଟଘଣ୍ଟା, ମୃଦଙ୍ଗ, ବିଜେ କାହାଳୀ, ନଦିଆ ସଂକୀର୍ତ୍ତନ ଧ୍ଵନିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିରାଟ ପଟୁଆରରେ ଝୁଲଣ ମଣ୍ଡପକୁ ବିଜେ କରିଥାଆନ୍ତି । ସେଠାରେ ଠାକୁରଙ୍କୁ ସୁସଜ୍ଜିତ ଦୋଳ ବିମାନରେ ଆସ୍ଥାନ କରାଇ ପାଟଡୋର ସାହାଯ୍ୟରେ ଝୁଲା ଯାଇଥିଲା । ପ୍ରତ୍ୟେହ ସନ୍ଧ୍ୟାରେ ମଠ ପକ୍ଷରୁ ଭଜନ, ସଂକୀର୍ତ୍ତନ, ଦାସକାଠିଆ, ପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଠାକୁରଙ୍କ ଏହି ଅପୂର୍ବ ଝୁଲଣ ପର୍ବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।