
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବାବା ଗ୍ରୁପ ବୋଲବମ ସଂଘ ତରଫରୁ ଆଗାମୀ ତୃତୀୟ ପାଳି ସୋମବାର ପାଇଁ ମଙ୍ଗଳବାର ଦିନ ସ୍ଥାନୀୟ ଖଡ଼ଗ ନଦୀ ନିକଟରେ ଯଥା:- ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି କାନ୍ଧରେ ପାଣି ଭାର ଧରି ବାଲିଗୁଡା ଠାରୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଦେବଗିରିକୁ ୨୦ ଜଣ କାଉଡିଆ ଗୈରିକ ପୋଷାକ ପରିଧାନ କରି ପଦଯାତ୍ରା ଆରମ୍ଭ କରିଛନ୍ତି । ନଦୀ ନିକଟରୁ ବାହାରି ୫୯ ନଂ. ଜାତୀୟ ରାଜପଥ ଦେଇଯିବା ସମୟରେ ଭକ୍ତମାନଙ୍କ ସମାବେଶରେ ଗୈରିକ ରଙ୍ଗରେ ଯେମିତି ସମଗ୍ର ଅଞ୍ଚଳ ରଙ୍ଗାୟିତ ହେବା ସହ “ଓଁ ନମଃ ଶିବାୟ” “ହର ହର ମହାଦେବ” ଓ “ବୋଲବମ୍ ହରହର ବମ” ଡାକରେ ସମଗ୍ର ଅଞ୍ଚଳ ଶିବମୟ ହୋଇ ଉଠିଥିଲା । କାଉଡିଆମାନେ ତୃତୀୟ ସୋମବାର ପ୍ରତ୍ୟୁଷରେ ଉକ୍ତ ମନ୍ଦିର ନିକଟରେ ପହଞ୍ଚି ଜଳାଭିଷେକ କରିବାର କାର୍ଯ୍ୟକ୍ରମ ରହିଥିବା ବିଷୟ ସଂଘ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଉକ୍ତ ସଂଘ ତରଫରୁ ପ୍ରଥମ ପାଳି ସାଷ୍ଟାଙ୍ଗ ଦଣ୍ଡ ପ୍ରଣାମ କରି ବାଲିଗୁଡା ଶୈବପୀଠରେ ଏବଂ ଦ୍ୱିତୀୟ ପାଳି ଦଣ୍ଡପଦର ସ୍ଥିତ ବାବା ଧବଳେଶ୍ୱର ଠାରେ ଜଳାଭିଷେକ କରିଥିଲେ । ବର୍ତ୍ତମାନ ତୃତୀୟ ପାଳି ଦେବଗିରି ଏବଂ ଚତୁର୍ଥ ପାଳି ଜାଲେଶପଟ୍ଟାର ଜଳେଶ୍ୱର ଶୈବପୀଠରେ ଜଳାଭିଷେକ କରିବାର କାର୍ଯ୍ୟକ୍ରମ ରହିଛି ।