
- “ବିଜ୍ଞାନ ପ୍ରତି ଆଗ୍ରହ ଓ ଜିଜ୍ଞାସା ସୃଷ୍ଟି କରିବା ଶିକ୍ଷକ ମାନଙ୍କର ଏକ ପ୍ରମୁଖ ଦାୟିତ୍ୱ”
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପି.ପି.ଏକାଡେମୀର ସମ୍ମିଳନୀ କକ୍ଷ ଠାରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ପକ୍ଷରୁ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଦିନିକିଆ କର୍ମଶାଳା ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ “ନିରନ୍ତରତା ପାଇଁ ବିଜ୍ଞାନ ଓ ନବସୃଜନ” ବିଷୟ ବସ୍ତୁକୁ ନେଇ ଆୟୋଜିତ ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ଓ ରୀନା କୁମାରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ପଣ୍ଡା ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ଓ ଜିଜ୍ଞାସା ସୃଷ୍ଟି କରିବା ଶିକ୍ଷକ ମାନଙ୍କର ଏକ ପ୍ରମୁଖ ଦାୟିତ୍ୱ ବୋଲି କହିବା ସହ ପାଠ୍ୟପୁସ୍ତକ ମଧ୍ୟରେ ବିଜ୍ଞାନକୁ ସୀମିତ ନ ରଖି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଚି଼ହ୍ନଟ କରି, ସେଗୁଡିକର କାରଣ ଅନୁଧ୍ୟାନ କରି ବୈଜ୍ଞାନିକ ଓ ନବସୃଜନଶୀଳ ପଦ୍ଧତିରେ ସମାଧାନ ଖୋଜିବା ଦିଗରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ । ଏଡ଼ିଇଓ ସୁଶ୍ରୀ ରୀନା କୁମାରୀ ବେହେରା ନିଜ ବକ୍ତବ୍ୟରେ ଶିଶୁ ମାନଙ୍କ ମନରେ ଛୋଟ ବେଳୁ ବିଜ୍ଞାନ ପ୍ରତି ଆଗ୍ରହ ଓ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ । ବିଷୟ ବିଶେଷଜ୍ଞ ଭାବେ ଆନନ୍ଦ ବଡ଼ପଣ୍ଡା, ଦିଲୀପ ଧଳ, ରାମଗୋପାଳ ଖମାରୀ ଶର୍ମା ଓ ଶିବ ପ୍ରସାଦ ତ୍ରିପାଠୀ ଯୋଗ ଦେଇଥିଲେ । ବର୍ଜ୍ୟବସ୍ତୁ ପରିଚାଳନା, ଶକ୍ତି, ଜଳ, ଖାଦ୍ୟ, କୃଷି ଓ ସ୍ୱାସ୍ଥ୍ୟ ସମେତ ଭାରତୀୟ ଜ୍ଞାନ କୌଶଳର ପ୍ରୟୋଗକୁ ଆଧାର କରି ଶିଶୁ ବିଜ୍ଞାନୀମାନେ ପ୍ରକଳ୍ପ ପ୍ରସ୍ତୁତ କରିବେ ବୋଲି ସୂଚନା ଦିଆଯାଇଥିଲା । ଶିକ୍ଷାବିତ ସନାତନ ଠାକୁର, ପୂର୍ବତନ ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନୀଳମଣି ପଟେଲ, ସରୋଜ ନାୟକ, ନବଘନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଉଭୟ ଅଧିବେଶନର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଦେଇଥିଲେ ପି.ପି.ଏକାଡେମୀର ପ୍ରଧାନ ଶିକ୍ଷକ ଦ୍ଵିତୀ ରଞ୍ଜନ ମହାଲିଙ୍ଗ । ପ୍ରଥମ ଅଧିବେଶନରେ ୧୩୭ ଓ ଦ୍ଵିତୀୟ ଅଧିବେଶନରେ ୧୩୦ ଜଣ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।