ସ୍ୱତନ୍ତ୍ର କୋଶଳ ରାଜ୍ୟ ପାଇଁ ଆଇନଜୀବୀମାନେ ଏକ୍‌ଜୁଟ୍‌ ହୋଇ ଲଢେ଼ଇ ନକଲେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ସମ୍ଭବ ନୁହେଁ : ପ୍ରମୋଦ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱତନ୍ତ୍ର କୋଶଳ ରାଜ୍ୟ ପାଇଁ ଆଇନଜୀବୀମାନେ ଏକ୍‌ଜୁଟ୍‌ ହୋଇ ଲଢେ଼ଇ ନକଲେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ସମ୍ଭବ ନୁହେଁ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ମତ ପ୍ରକାଶ କରିଛନ୍ତି । ସେ ଏକ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ନିଜ ମତ ଜଣାଇଥିବା ବେଳେ ସେ ସ୍ପଷ୍ଟ କରିଛନ୍ତି ଯେ, ଇତିମଧ୍ୟରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଦ୍ୱାରା ମାନ୍ୟବର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଥିବା ପତ୍ରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି । ବାସ୍ତବରେ ନା କେନ୍ଦ୍ର ସରକାର, ନା ରାଜ୍ୟ ସରକାର କେହି ବି କୋଶଳାଞ୍ଚଳରେ ହାଇକୋର୍ଟ ବେଂଚ ସ୍ଥାପନ ଦାବୀ ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଇ ନାହାନ୍ତି । ହାଇକୋର୍ଟ ବେଂଚର ଦାବୀ ଗଲା ୬ ଦଶନ୍ଧି ଧରି ଉପସ୍ଥାପିତ ହୋଇ ଆସୁଥିବା ବେଳେ ବିଗତ ୩ ଦଶନ୍ଧି ଧରି ଏହା ଜୋରଦାର ହୋଇଛି ଏବଂ ବିଶେଷ କରି ଗଲା ୧୫ ବର୍ଷ ମଧ୍ୟରେ ଏହି ଆନ୍ଦୋଳନ ଏକ ଜନ ଆନ୍ଦୋଳନରେ ପରିଗଣିତ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟ ଓ ଆଶ୍ଚର୍ଯ୍ୟର କଥା ଏହି ଯେ, ରାଜନୈତିକ କାରଣରୁ ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ କର୍ମକର୍ତ୍ତା ମାନେ ଏହି ଆନ୍ଦୋଳନରେ ସାମିଲ ହେଉଥିବା ବେଳେ ଦଳଗତ ଭାବରେ କୌଣସି ରାଜନୈତିକ ଦଳ ଏହି ଦାବୀ ସପକ୍ଷରେ ନୀତିଗତ ନିଷ୍ପତ୍ତି ନେଇ ନାହାନ୍ତି କିମ୍ବା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । କାରଣ ଓଡ଼ିଶା ହାଇକୋର୍ଟ ଓ ଉପକୂଳ ଓଡ଼ିଶାର ଆଇନଜୀବୀ ମାନଙ୍କୁ ଅସନ୍ତୁଷ୍ଟ କରିବାର ସତ୍‌ସାହସ କୌଣସି ରାଜନୈତିକ ଦଳ ରଖିନାହାନ୍ତି । ଏହାଛଡ଼ା ଓଡ଼ିଶା ସହ ଦୁଇଟି ପର୍ଯ୍ୟାୟରେ ମିଶିଲା ପରେ କୋଶଳାଞ୍ଚଳକୁ କ୍ରମାଗତ ଭାବରେ ଉଗ୍ର ଆଞ୍ଚଳିକ ବୈଷମ୍ୟର ଶିକାର କରାଯାଇଛି । ଏକଥାକୁ ବାରମ୍ବାର ମାନ୍ୟବର ସୁପ୍ରିମକୋର୍ଟ, ମାନ୍ୟବର କେନ୍ଦ୍ର ମାନବାଧିକାର କମିଶନ, ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ତଥା ଆଞ୍ଚଳିକ ବୈଷମ୍ୟ ନିରୁପଣ ପାଇଁ ଗଠିତ ବିଭିନ୍ନ କମିଟି ଓ କମିଶନ ବିଭିନ୍ନ ସମୟରେ ସ୍ୱୀକାର କରିଥିଲେ ମଧ୍ୟ ତାର ନିରାକରଣ ପାଇଁ ବିଭିନ୍ନ ସମୟରେ ରାଜ୍ୟ କିମ୍ବା କେନ୍ଦ୍ରର ଶାସନ ଗାଦିରେ ବସିଥିବା ସରକାରମାନେ କିଛି କରିନାହାନ୍ତି । ହାଇକୋର୍ଟ ବେଂଚ ଦାବୀ ଉପସ୍ଥାପିତ ହେବା ଭିତରେ ରାଜ୍ୟ ତଥା ଦେଶର ସବୁ ମୁଖ୍ୟ ରାଜ୍ୟନୈତକ ଦଳ ଓଡ଼ିଶାର ଶାସନ ଗାଦିରେ ବସି ସାରିଛନ୍ତି । କିନ୍ତୁ କେହି ହେଲେ ଏହି ଦାବୀ ପୂରଣ ପାଇଁ ଆନ୍ତରିକତାର ସହିତ ପଦକ୍ଷେପ ନେଇ ନାହାନ୍ତି । କେବଳ ଫୁଟବଲ ଖେଳିବା ଭଳି ଜଣେ ଅନ୍ୟ ଜଣକ ପାଖକୁ ବଲ ପଠେଇବାରେ ବ୍ୟସ୍ତ ରହିଛନ୍ତି । ଏହି ଦାବୀର ବୈଧତା ଓ ସ୍ଥାନ ନିରୂପଣ ପାଇଁ ଓଡ଼ିଶା ସରକାର ଜଷ୍ଟିସ୍‌ ପାଲଙ୍କ ଅଧ୍ୟକ୍ଷତାରେ ଏକ କମିଶନ ମଧ୍ୟ ଗଠନ କରିଥିଲେ । ଏହି କମିଶନ ତାଙ୍କର ରିପୋର୍ଟ ଦେବା ପାଇଁ ଦୀର୍ଘ ସମୟ ନେଲା ପରେ ଦୀର୍ଘ ଦିନ ହେଲା ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ତାକୁ ଉଦ୍ଦେଶ୍ୟମୂଳକ ଭାବରେ ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରା ଯାଇନାହିଁ । ଏଥିରୁ ଉକ୍ତ ପ୍ରସଙ୍ଗ ପ୍ରତି ସରକାର ଓ ଦଳ ମାନଙ୍କର ଆନ୍ତରିକତା ସ୍ପଷ୍ଟ ରୂପେ ଅନୁମେୟ । ବିଭିନ୍ନ ସମୟରେ କୋଶଳାଞ୍ଚଳର ସଂଘର୍ଷରତ ଆଇନଜୀବୀମାନେ ଯଶବନ୍ତ ସିଂ କମିଶନଙ୍କ ସୁପାରିଶକୁ ଭିତ୍ତି କରି ହାଇକୋର୍ଟର ବେଂଚ କୋଶଳାଞ୍ଚଳ (ପଶ୍ଚିମ ଓଡ଼ିଶା) ଯେ କୌଣସି ସ୍ଥାନରେ ସ୍ଥାପନ କରିବାକୁ କହିଥିବା ବେଳେ ରାଜ୍ୟ ସରକାର, ମାନ୍ୟବର ହାଇକୋର୍ଟ ଓ କେନ୍ଦ୍ର ସରକାର କାହିଁକି ତାଙ୍କର ଭୂମିକା ନିର୍ବାହ କରୁନାହାନ୍ତି, ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବାସ୍ତବରେ କୋଶଳାଞ୍ଚଳରେ କୌଣସି ପ୍ରକାର ବିକାଶ କରିବା ପାଇଁ ଉପକୂଳ ଓଡ଼ିଶା ଦ୍ୱାରା ପରିଚାଳିତ ରାଜନୈତିକ ଦଳ ମାନଙ୍କର କିମ୍ବା ସରକାରଙ୍କର ଆଗ୍ରହ ନାହିଁ । କାରଣ ଆଞ୍ଚଳିକ ବୈଷମ୍ୟ ଅନୁଧ୍ୟାନ ପାଇଁ ଗଠିତ ଜଷ୍ଟିସ ମହାନ୍ତି କମିଶନଙ୍କ ରିପୋର୍ଟ ମଧ୍ୟ ଆଜି ଯାଏ ବିଧାନସଭାରେ ଉପସ୍ଥାପିତ ହୋଇ ପାରିଲା ନାହିଁ । ଆମେ ବିଭିନ୍ନ ସମୟରେ ସଂଘର୍ଷରତ ଆଇନଜୀବୀ ବନ୍ଧୁମାନଙ୍କୁ ଆବେଦନ କରି ସିଧା ସଳଖ ଭାବରେ କୋଶଳ ରାଜ୍ୟ ଆନ୍ଦୋଳନର ନେତୃତ୍ୱ ନେବାକୁ ଆହ୍ୱାନ ଦେଇ ଆସୁଛୁ । କିନ୍ତୁ ଦୁର୍ଭାଗ୍ୟର କଥା ଏହା କରିବା ପରିବର୍ତ୍ତେ ହାଇକୋର୍ଟ ବେଂଚର ସ୍ଥାନକୁ ନେଇ ଆଇନଜୀବୀ ବନ୍ଧୁମାନେ ନିଜ ନିଜ ମଧ୍ୟରେ ବିଭାଜିତ ହୋଇ ଯିବାରୁ ଦାବୀର ଗୁରୁତ୍ୱ କମିଗଲା । ଏହାଛଡ଼ା ୨୦୧୬ ମସିହାରେ କୋଶଳ ମହାବନ୍ଦ ସମୟରେ ଏକ ନିର୍ଦ୍ଧିଷ୍ଟ ଜିଲ୍ଲାରେ ଏକ ଭ୍ରମାତ୍ମକ ତଥ୍ୟର ଅନୁଗାମୀ ହୋଇ କିଛି ଆଇନଜୀବୀ ବନ୍ଧୁଙ୍କ ତରଫରୁ କୋଶଳ ଆନ୍ଦୋଳନକୁ ବିରୋଧ କରାଯିବା ଘଟଣା ଓଡ଼ିଶା ସରକାର ଓ ବିଭିନ୍ନ ରାଜନୈତିକ ଦଳମାନଙ୍କୁ ତଥା ଉପକୂଳ ଓଡ଼ିଶାର ପୂଜାପଣ୍ଡାମାନଙ୍କୁ ଆଇନଜୀବୀ ଆନ୍ଦୋଳନକୁ ଦମନ କରିବା ପାଇଁ ଉସ୍‌ôାହିତ କରିଥିଲା । ଆମକୁ ସ୍ୱୀକାର କରିବାକୁ ହେବ ଯେ ଆଞ୍ଚଳିକ ବୈଷମ୍ୟର ଶିକାର ହେବା ପାଇଁ ଆମେ ମଧ୍ୟ ବହୁ ପରିମାଣରେ ଦାୟୀ । କାରଣ ଭାଷାର ନାମ କରଣ, ହାଇକୋର୍ଟ ବେଂଚର ସ୍ଥାନ ନିରୁପଣ ତଥା ଅନ୍ୟାନ୍ୟ ଛୋଟ ଛୋଟ ପ୍ରସଙ୍ଗରେ ଆମେ ଅଳ୍ପକେ ବିଭାଜିତ ହୋଇ ଉପକୂଳ ଓଡ଼ିଶାବାସୀଙ୍କୁ ଆମର ବିଭାଜନର ବିକୃତ ଚେହେରା ଅନେକ ସମୟରେ ଦେଖାଇ ଆସିଛୁ । ଏଣୁ ଏବେ ଆତ୍ମମନ୍ଥନର ସମୟ ଆସିଛି । କୋଶଳାଞ୍ଚଳର ସବୁ ବାର୍‌ ଏସୋସିଏସନ୍‌, ରାଜନୈତିକ ନେତା ତଥା ସାମାଜିକ ସଂଗଠନମାନେ ଏକତ୍ରୀତ ହୋଇ ଯଦି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଆନ୍ଦୋଳନକୁ ମଜଭୁତ କରିବେ ତା ହେଲେ ରାଜ୍ୟ ଗଠନ ହେବା ସଙ୍ଗେ ସଙ୍ଗେ ଆମେ ହାଇକୋର୍ଟ ସ୍ଥାପନରେ ମଧ୍ୟ ସୁଯୋଗ ପାଇବା । ଏହି ବାସ୍ତବିକତାକୁ ଏବେ ବୁଝି ଯାଇ କୋଶଳ ଅନ୍ଦୋଳନ ପାଇଁ ଏକଜୁଟ ହେବା ର ଆବଶ୍ୟକତା ରହିଛି ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ମତ ପ୍ରକାଶ କରିବା ସହ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.