ନକଲି ଔଷଧ ବିରୁଦ୍ଧରେ ଲଢେଇ ଜାରି ରହିଛି

  • ଆଜି କଟକ ଏବଂ ବରଗଡରୁ ନକଲି ଔଷଧ ଜବତ
  • ଔଷଧ ଆସୁଥିବା ରାଜ୍ୟର ପ୍ରବର୍ତ୍ତନ ବ୍ୟବସ୍ଥାସହ ଯୋଗାଯୋଗ ସଘନ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଧେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନକଲି ଔଷଧ ବିରୁଦ୍ଧରେ ରାଜ୍ୟବ୍ୟାପୀ ଲଢେଇ ଜାରି ରହିଛି । ଏହି କ୍ରମରେ ଆଜି କଟକ ଓ ବରଗଡର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଛି । ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ କହିଥିଲେ ଯେ, ସନ୍ଦେହାତ୍ମକ ଔଷଧ ପ୍ରସ୍ତୁତିରେ ଲିପ୍ତ ସଂସ୍ଥାକୁ ଔଷଧର ପରୀକ୍ଷା ବିବରଣୀ ସହ ସବିଶେଷ ତଥ୍ୟ ଦେବା ପାଇଁ କୁହାଯାଇଥିଲା । ତାଙ୍କଠାରୁ ମିଳିଥିବା ତଥ୍ୟର ବୈଧତା ତନଖି କରି ପ୍ରାୟ ୧୧ ପ୍ରକାର ସନ୍ଦେହାତ୍ମକ ଔଷଧ କଟକ ପୁରୀଘାଟସ୍ଥିତ ଏମ୍.ଏଚ୍. ଫାର୍ମାସୁଟିକାଲ୍ ଷ୍ଟୋରରୁ ଜବତ କରାଯାଇଛି । ଜବତ ଔଷଧର ମୂଲ୍ୟପ୍ରାୟ ୨୩.୨୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହିସବୁ ଔଷଧ ପଡୋଶୀ ରାଜ୍ୟ ଉତ୍ତର ପ୍ରଦେଶରୁ ଆସିଥିବାର ଜଣାପଡିଥିଲା । ଏହାଛଡା ବରଗଡର ଅଶୋକ ମେଡିକାଲ ଷ୍ଟୋରରୁ ମଧ୍ୟ ସନ୍ଦେହାତ୍ମକ ଔଷଧ ଜବତ କରାଯାଇଛି । ଅଶୋକ ମେଡିକାଲରୁ ଜବତ ଔଷଧକୁ ସନ୍ଦେହାତ୍ମକ ଭିତ୍ତିରେ ପୂର୍ବରୁ ଅଲଗା କରି ତାହାର ବିକ୍ରି ବନ୍ଦ କରାଯାଇଥିଲା । ଶ୍ରୀମତି ପଣ୍ଡିତ୍ ଆହୁରି ମଧ୍ୟ କହିଥିଲେ ଯେ, ଓଡିଶାର ପ୍ରବର୍ତ୍ତନ ଟିମଙ୍କୁ ଔଷଧ ଆସୁଥିବା ରାଜ୍ୟର ପ୍ରବର୍ତ୍ତନ ବ୍ୟବସ୍ଥା ସହ ଯୋଗାଯୋଗ ସଘନ କରିବାକୁ କୁହାଯାଇଛି । ଏହାଦ୍ବାରା ନକଲି ଔଷଧର ଆମଦାନି ଓ ଯୋଗାଣକୁ ବନ୍ଦ କରାଯାଇ ପାରିବ ଏବଂ ଧରାପଡିଥିବା ନକଲି ଔଷଧ ପ୍ରସ୍ତୁତକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତ୍ଵରାନ୍ୱିତ ହେବ । ଔଷଧ ପ୍ରବର୍ତ୍ତନ ଟିମ୍‌ମାନେ ବଜାରରେ ଉପଲବ୍ଧ ଔଷଧ ଗୁଡିକର ଯାଂଚ୍ ବ୍ୟାପକ କରିବା ସହ କୌଣସି ପ୍ରକାର ସନ୍ଦେହାତ୍ମକ କାର୍ଯ୍ୟ ଦୃଷ୍ଟିକୁ ଆସିବା ମାତ୍ରେ ବିକ୍ରି ବନ୍ଦ ନିର୍ଦେଶ ଜାରି କରିବେ ବୋଲି ଶ୍ରୀମତୀ ପଣ୍ଡିତ୍ କହିଥିଲେ ।

Leave A Reply

Your email address will not be published.

5 × four =

error: Content is protected !!