ତୁଷୁରାର ନମିତାରାଣୀ ଭୋଇ ପାଇଲେ ଓଇଏସ୍

ତୁଷୁରା, (କେପିଏନ୍‌ଏସ୍‌) : ଓଡିଶା ପବ୍ଲିକ୍ ସର୍ଭିସ୍ କମିଶନ୍ (ଓପିଏସ୍‌ସି) ମାଧ୍ୟମରେ ଅନୁଷ୍ଠିତ ଓଡିଶା ଏଜୁକେସନ୍ ସର୍ଭିସ୍ (ଓଇଏସ୍)ର ସାକ୍ଷାତକାରର ଫଳ ଗତ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ ତୁଷୁରାର ସୁଶ୍ରୀ ନମିତାରାଣୀ ଭୋଇ ୧୪୪ ନଂ ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଗୁଡଭେଲା ବ୍ଲକ୍ ପାଇଁ ଗୌରବ ଆଣି ଦେଇଛନ୍ତି । ସୁଶ୍ରୀ ଭୋଇ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ଦେଉଳଗୁଡି ଗ୍ରାମ ପଞ୍ଚାୟତର ମଧୁପର ଗ୍ରାମର ଭକ୍ତ ରଞ୍ଜନ ଭୋଇ ଓ ଶ୍ରୀମତୀ ପଙ୍କଜିନୀ ଭୋଇଙ୍କ ସୁପୁତ୍ରୀ ଅଟନ୍ତି । ତାଙ୍କର ବାପା ଶ୍ରୀ ଭୋଇ ଦେଉଳଗୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପୂର୍ବତନ ବ୍ଲକ ଶିକ୍ଷା ନିରୀକ୍ଷକ (ସ୍କୁଲ୍ ଏସ୍‌ଆଇ) ଅଟନ୍ତି । ନମିତାରାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ତୃତୀୟ ଓ ପଞ୍ଚମ ଶ୍ରେଣୀରେ ସରକାରୀ ମେଧାବୃତ୍ତି ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଥିଲେ । ତତ୍ପରେ ଜବାହର ନବୋଦୟ ବିଦ୍ୟାଳୟ ବେଲପଡାଠାରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲେ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗିରଠାରେ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ପରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ବିଇଡି ତାଲିମ ଗ୍ରହଣ କରିଥିଲେ । ସେ ଜଣେ ମେଧାବି ଛାତ୍ରୀ ଓ ଉଚ୍ଚାଭିଳାଷି ଥିଲେ ବୋଲି ତତ୍କାଳୀନ ଗୁରୁଜୀ ହେମନ୍ତ ଦାଶ କହିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କର ପ୍ରତିଭା ବାଲ୍ୟ କାଳରୁ ପ୍ରସ୍ଫୁଟିତ ହୋଇ ଉଠିଥିଲା । ନମିତାରାଣୀ ନିଜ ସଫଳତାର ଶ୍ରେୟ ନିଜ ବାପା, ମା’ , ଗୁରୁଜୀ ଗୁରୁମା ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ଦେଇଛନ୍ତି । ସେ ବର୍ତ୍ତମାନ ସଇଁନ୍ତଳା ବ୍ଲକ୍ ଅନ୍ତର୍ଗତ କନ୍ଧକେଲ ଗାଁ ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଓଇଏସ୍ ପାଇଥିବା ଖବର ପ୍ରକାଶିତ ହେବା ପରେ ସମଗ୍ର ତୁଷୁରା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା । ତାଙ୍କର ସାଙ୍ଗ ସାଥୀ, ବନ୍ଧୁବର୍ଗ, ଶୁଭେଚ୍ଛୁଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।

Leave A Reply

Your email address will not be published.

20 + thirteen =