କରଙ୍ଗାକଁଟା ବନ୍ଧର ପୁନଃଉଦ୍ଧାର ନକଲେ ଚରମ ପଦକ୍ଷେପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରଙ୍ଗାକଁଟା ବନ୍ଧ ବଲାଙ୍ଗିରର ସର୍ବ ପୁରାତନ ବନ୍ଧ ମଧ୍ୟରୁ ଅନ୍ୟତମ । ସମୟ ଥିଲା ଲୋକେ ଏଠାକାର ପାଣି ପିଇବା ପାଇଁ ବ୍ୟବହାର କରୁଥିଲେ । ଆଜିର କରଙ୍ଗାକଁଟାକୁ ଦେଖିଲେ ତାହା ଅନ୍ୟ କେଉଁ ଯୁଗର କାହାଣୀ ଭଳି ମନେହୁଏ । ଏ ବନ୍ଧର ପାଣି ଆଜି ମଣିଷ ପିଇବା ତ ଅସମ୍ଭବ, ଗାଇ ଗୋରୁଙ୍କ ଗାଧେଇବା ପାଇଁ ମଧ୍ୟ ଉପଯୋଗୀ ହୋଇପାରୁନାହିଁ । ବନ୍ଧର ଅବସ୍ଥା ଏଭଳି ଯେ, ଖରା ମାସରେ ପିଲାଏ ଏଠି କ୍ରିକେଟ ଖେଳିବା ମଧ୍ୟ ଦେଖିବାକୁ ମିଳେ । ବାରମ୍ବାର ଆନ୍ଦୋଳନ ପରେ ସରକାର ବନ୍ଧର ପୁନଃଉଦ୍ଧାର ପାଇଁ ୧ କୋଟି ୬୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲିଟି ପ୍ରଥମେ ବନ୍ଧର ପଙ୍କ ଉଦ୍ଧାର କରି ସଫା କରିବା ପରିବର୍ତ୍ତେ ସୌନ୍ଦର୍ଯ୍ୟକରଣ କରିବା ବାହାନାରେ ଅର୍ଥର ବାଟମାରଣା କରୁଛନ୍ତି । ଯାହା ଅଂଚଳବାସୀଙ୍କୁ ହତାସ କରିଛି । ତେଣୁ ୱାର୍ଡ ନଂ ୮ର କ୍ରିୟାନୁଷ୍ଠାନ କମିଟି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେବା ସହ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତୀୟ ଏକ ଦାବୀପତ୍ର ପ୍ରଦାନ କରିଛି ବୋଲି କମିଟି କହିଛି । ତେବେ ଦାବୀ ମୁତାବକ ଜିଲ୍ଲା ପ୍ରଶାସନ ବନ୍ଧର ପ୍ରକୃତ ପୁନଃଉଦ୍ଧାର ପ୍ରତି ଧ୍ୟାନ ନଦେଲେ କ୍ରିୟାନୁଷ୍ଠାନ କମିଟି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.

19 − 10 =