ରାଜେନ୍ଦ୍ର ହୋତା ନୂତନ ଜିଲ୍ଳା ଯୁବ ବିଜେଡ଼ି ସଭାପତି ଓ ଅଜିତ ଯୋଷୀ ରାଜ୍ୟ ସମ୍ପାଦକ ଭାବେ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଯୁବ ବିଜୁ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତି ଅନୁମୋଦନ କରିଛନ୍ତି । ସେହି କ୍ରମରେ ପୂର୍ବତନ ଯୁବ ବିଜୁ ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ତଥା ବଲାଙ୍ଗିର ସଦର ବ୍ଲକ ବରକାନୀ ପଂଚାୟତର ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ହୋତା ବଲାଙ୍ଗିର ଜିଲ୍ଲାର ନୂତନ ଯୁବ ବିଜୁ ଜନତା ଦଳର ସଭାପତି ଭାବେ ମନୋନୀତ ହୋଇଛନ୍ତି । ସେହିପରି ପୂର୍ବତନ ଯୁବ ବିଜୁ ଜନତା ଦଳର ଉପସଭାପତି ଅଜିତ ଯୋଷୀଙ୍କୁ ରାଜ୍ୟ ସମ୍ପାଦକ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି । ଏହି ବିଷୟରେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।


ନବ ମନୋନୀତ ରାଜେନ୍ଦ୍ର ଛାତ୍ର ଜୀବନରୁ ଦଳ ସହିତ ଯୋଡି ହୋଇଥିବା ବେଳେ ଦଳ ପାଇଁ ଅନେକ ଗୁରୁତ୍ୱପୂର୍ଣ ପଦ ଗ୍ରହଣ କରି ଆସିଛନ୍ତି । ଛାତ୍ର ବିଜୁ ଜନତା ଦଳର ସଭାପତି ଭାବେ ପ୍ରାୟ ୧୦ ବର୍ଷ ଦଳ ଓ ଛାତ୍ରମାନଙ୍କ ପାଇଁ କାମ କରିଛନ୍ତି । ଦଳ ଓ ଛାତ୍ର ସମାଜ ପାଇଁ ତାଙ୍କର କଠିନ ପରିଶ୍ରମ ଯୋଗୁଁ ସେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ଏବେ ଦଳ ମୁଖ୍ୟ ତାଙ୍କୁ ତାଙ୍କର ପରିଶ୍ରମର ଫଳ ସ୍ୱରୂପ ନୂତନ ଦାୟିତ୍ୱ ଦେଇଛନ୍ତି । ରାଜେନ୍ଦ୍ରଙ୍କ ନୂତନ ନେତୃତ୍ୱ ଦଳକୁ ଆହୁରି ମଜବୁତ କରିବ ବୋଲି ବିଜୁ ଜନତା ଦଳ ତରଫରୁ କୁହାଯାଇଛି । ତେବେ ନୂତନ ରାଜ୍ୟ କର୍ମକର୍ତ୍ତା ଘୋଷଣା ପରେ ବଲାଙ୍ଗିର ବିଜୁ ଜନତା ଦଳ ମଧ୍ୟରେ ବେଶ୍‌ ଖୁସିର ବାତାବରଣ ସୃ‌ଷ୍ଟି ହୋଇଛି ।

Leave A Reply

Your email address will not be published.