ସଂକ୍ରମଣ ରୋକିବାକୁ ବ୍ୟବସାୟିକ ପ୍ରତିଷ୍ଠାନର ପଦକ୍ଷେପ : ଶୁକ୍ରବାରରୁ ୭୨ ଘଣ୍ଟା ବିଜେପୁର ସଟଡାଉନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ବ୍ରୁଦ୍ଧି ପାଇବାକୁ ଲାଗିଛି । ଏହା ଜନସାଧାରଣଙ୍କ ସମେତ ବୁଦ୍ଧିଜୀବୀ ମହଲକୁ ଆଲୋଡିତ କରିଛି। ଫଳରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସଭାକକ୍ଷରେ ଏହାର ପ୍ରତିକାର ନିମିତ୍ତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଣିକ ସଂଘ, ହୋଟେଲ ସଂଘ, ବାରିକ ସଂଘ, ଚା ଦୋକାନୀ ସଂଘ ଆଦି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ସଦସ୍ୟଗଣ ଯୋଗ ଦେଇ ଆଲୋଚନାରେ ସାମିଲ୍ ହୋଇଥିଲେ । ସଂକ୍ରମଣ ବୃଦ୍ଧିକୁ ଦୃ‌ଷ୍ଟି ଦେଇ ଆଗାମୀ ଶୁକ୍ରବାରରୁ ରବିବାର ତିନିଦିନ ପାଇଁ ବିଜେପୁର ସହର ସଟଡାଉନ୍ ଘୋଷଣା କରାଯିବାକୁ ଦାବୀ ହୋଇଥିଲା । ଏହି ସମୟରେ ଔଷଧ, ପେଟ୍ରୋଲ ପମ୍ପ ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଉପସ୍ଥିତ ସଂଘ ପକ୍ଷରୁ ପ୍ରସ୍ତାବ ଆଗତ ହୋଇଛି । ସେହିପରି ଆଗାମୀ ସୋମବାରରୁ
ଅକ୍ଟୋବର ୧୫ପର୍ୟ୍ୟନ୍ତ ସକାଳ ୬ଟାରୁ ଅପରାହ୍ନ ୨ଟାଯାଏଁ ଦୋକାନ ବଜାର ଖୋଲା ରଖିବାକୁ ଆଲୋଚନା ହୋଇଛି । ବିଡିଓ ପଦ୍ମନାଭ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ତହସିଲଦାର କୁଳମଣି ରଣବିଡା, ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଶାନ୍ତନୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବ୍ୟବସାୟିକ ପ୍ରତିଷ୍ଠାନର ସଦସ୍ୟଗଣଙ୍କ ଏତାଦୃଶ ପଦକ୍ଷେପକୁ ଜନସାଧାରଣଙ୍କ ସମେତ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଂଶସା କରାଯାଇଛି ।

Leave A Reply

Your email address will not be published.