ମଟରଚଣା ଚାଷ, ଚାଷୀଙ୍କ ପାଇଁ ନୂତନ ବିକଳ୍ପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂପ୍ରତି ଜଳବାୟୁ ପରିବର୍ତ୍ତନ ଓ ବର୍ଷାର ଅନିୟମିତତାକୁ ଦୃଷ୍ଟିରେ ରଖି ସ୍ୱଳ୍ପ ସମୟ ଅବଧି ମଧ୍ୟରେ ଅଧିକ ଉତ୍ପାଦନ ତଥା କମ୍ ଖର୍ଚ୍ଚରେ ହୋଇପାରୁଥିବା ଫସଲ ଉପରେ ଚାଷୀମାନେ ଗୁରୁତ୍ୱାରୋପ କରୁଛନ୍ତି । ଏହି ସମସ୍ୟାକୁ ହୃଦବୋଧ କରି ବଲାଙ୍ଗିର ଜିଲ୍ଲାରେ ଏକ ନୂତନ ଧରଣର ମଟରଚଣା (ଆଇପିଏଫ୍‌ଡି – ୧୨-) ଚାଷ ପରୀକ୍ଷାମୂଳକ ଭାବେ ଆଇକାଡା ଓ ଜିଲ୍ଲା କୃଷି ବିଭାଗର ମିଳିତ ଉଦ୍ୟମରେ ୧୦ଟି ବ୍ଲକରେ ଆରମ୍ଭ କରାଯାଇଥିଲା । ଏହି କିସମର ମଟରଚଣା ଅବଧି ୧୧୦ ଦିନ ଥିବାବେଳେ ହେକ୍ଟର ପିଛା ୮ରୁ ୧୦ କ୍ଵିଣ୍ଟାଲ ଅମଳ କରାଯାଇପାରୁଛି । ଏଥିସହିତ ଏହି କିସ୍‌ମର୍‌ ମଟରଚଣାର ରୋଗ ପୋକ ପ୍ରତିରୋଧ କରିବାର କ୍ଷମତା ଓ ମରୁଡି ସହଣୀ ଅଧିକ ଥିବା ନେଇ ଆଇକାଡ଼ାର ଜିଲ୍ଲା ସଂଯୋଜକ ବିଜୟ କୁମାର ଶତପଥୀ ପ୍ରକାଶ କରିଛନ୍ତି । ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ଅଗ୍ରଣୀ ଚାଷୀ ପଦ୍ମନ ରଣାଙ୍କ କହିବା ମୁତାବକ, ଏହି କିସ୍‌ମର୍‌ ମଟରଚଣା ଚାଷ ସ୍ୱଳ୍ପ ଜଳସେଚନରେ ସମ୍ଭବ ହେବା ସହିତ ବୁଦାଳିଆ ହେଉଥିବାରୁ ରାଞ୍ଜ ଦେବା ଖର୍ଚ୍ଚ ବଞ୍ଚିଥାଏ । ବଜାରରେ ଏହି କିସ୍‌ମର୍‌ ମଟରଚଣାର ଚାହିଦା ମଧ୍ୟ ଅଧିକ ରହିଥିବାରୁ ଚାଷୀ ଲାଭବାନ ହୋଇଥାଏ । ଏହା କଞ୍ଚା ଥିବା ଓ ପରବର୍ତ୍ତୀ ସମୟରେ ଶୁଖାଇ ଏହାକୁ ଅଧିକ ଦରରେ ବିକ୍ରି କରାଯାଇପାରେ । ସୂଚନାଯୋଗ୍ୟ ଯେ ଏହି ଉପକ୍ରମ ବିଲୁପ୍ତ ପ୍ରାୟ ଶସ୍ୟ ଗୁଡ଼ିକର ପୁନରୁଦ୍ଧାର ଓ ସ୍ଥାୟୀତ୍ୱ ନିମନ୍ତେ ବ୍ୟାପକ କୃଷି କାର୍ଯ୍ୟକ୍ରମ ଅନ୍ତର୍ଗତ ଆଇକାଡା ଓ କୃଷି ବିଭାଗର ମିଳିତ ପ୍ରୟାସ ଅଟେ ।

Leave A Reply

Your email address will not be published.

3 + six =