
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମ୍ୟୁନିସପାଲିଟି ଅଧୀନସ୍ଥ ସହର ତଳି ଚିକଲଖଣ୍ଡି ନିକଟସ୍ଥ ଝରପୋଖରୀ ଗ୍ରାମରେ ନିଶାମୁକ୍ତ ସମାଜ ଗଠନ କରିବା ଦିଗରେ ଏକ ସ୍ୱତନ୍ତ୍ର ଅଭିଯାନ କରିବା ସାଂଗକୁ ସାଇବର୍ ଠକେଇ ସମ୍ବନ୍ଧୀୟ ସଚେତନତା ଏବଂ ସ୍ୱାସ୍ଥ୍ୟସେବାରେ ଯକ୍ଷ୍ମାରୋଗର ପ୍ରାଦୁର୍ଭାବ ଓ ନିରାକରଣ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚିନ୍ମୟ ନାୟକ, ଛତ୍ରପୁର ଉପଖଣ୍ଡସ୍ତରୀୟ ପୋଲିସ ଅଧିକାରୀ ଚନ୍ଦନ ଘଡ଼େଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ସାଇବର ବିଶେଷଜ୍ଞ ଅଗସ୍ତି ବିଶ୍ୱାଳ ଏବଂ ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ, ବି.କେ. ବାଲକ୍ରିଷ୍ଣା ଭାଇ , ବି.କେ. ପିଙ୍କି ଭଉଣୀ ରଜନୀକାନ୍ତ ଭାଇ, ଭାଗ୍ୟ ଭଉଣୀ, ମାମଲି ଭଉଣୀ ପ୍ରମୁଖଙ୍କ ସମେତ ଟିବି ଚାମ୍ପିୟାନ୍ ମୁନା ବେହେରା ଉପସ୍ଥିତ ରହି ଗ୍ରାମବାସୀଙ୍କୁ ନିଶା ନିବାରଣ ଉପରେ ସଚେତନତା କରିଥିଲେ । ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପିଙ୍କି ଭଉଣୀ ନିଶାକୁ ନିବାରଣ କରିବାକୁ ହେଲେ କିପରି ନିଜର ମନ ଉପରେ ନିୟନ୍ତ୍ରଣ ରଖିବା ସେ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ସାଇବର୍ ଠକେଇ ସମ୍ପର୍କରେ ଅବଗତ କରାଇ ଡ଼ିଜିଟାଲ୍ ଠକେଇ ମାମଲା ଉପରେ ଆଲୋକପାତ କରିଥିଲେ । ଏଦିଗରେ ନିଜେ ସତର୍କତ୍ତା ଅବଲମ୍ବନ କରିବା ଆବଶ୍ୟକ ବୋଲି ଶ୍ରୀ ବିଶ୍ୱାଳ ପରାମର୍ଶ ଦେଇଥିଲେ । ଏଥି ସହିତ ଛତ୍ରପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିବି ରୋଗର ସଚେତନତା ମଧ୍ୟ ହୋଇଥିଲା । ଶେଷରେ ବି.କେ ବିଜୟ ଲକ୍ଷ୍ମୀ ଭଉଣୀ ନିଶା ମୁକ୍ତ ସମାଜ ପାଇଁ ଏକ ଶପଥ ପାଠ କରାଇଥିବା ସହିତ ସମାଜସେବୀ ବି. ଶଙ୍କର ରେଡ୍ଡୀ ସମସ୍ତ ଗ୍ରାମବାସୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।