
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ଡାକାଗାଁର ଖଡ଼ଗନଦୀରେ ଡ଼ଙ୍ଗା ବୁଡି ଯିବାରୁ ଶଶୁର ଓ ବୋହୂ ନିଖୋଜ ହୋଇଥିବା ବେଳେ ୬ ଜଣ ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ବାପଘର ଡାକା ଗ୍ରାମକୁ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଆସିଥିଲେ କିନ୍ତୁ ନଦୀ ଆରପାରିରେ ମାମୁଁ ଘରକୁ ଯାଇ ଅପରାହ୍ନ ସମୟରେ ଡଙ୍ଗା ସାହାଯ୍ୟରେ ୮ ଜଣ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ିଯାଇଥିଲା । ଫଳରେ ଛଅ ଜଣ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇଛନ୍ତି । ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ଅଘଟଣ ଘଟିଛି । ନିଖୋଜ ବୃଦ୍ଧ ସୁଡ୍ରା ପଞ୍ଚାୟତ ପଲାମି ଗାଁର ଗୁନ୍ଦନା ମଲିକ ଶଶୁର, ଆଉ ବୋହୂ ରାଇଙ୍ଗି ମଲିକ ନିଖୋଜ ଥିବା ସୂଚନା ମିଳିଛି । ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ନିଖୋଜଙ୍କ କୌଣସି ସନ୍ଧାନ ମିଳିପାରିନାହିଁ । ବର୍ତ୍ତମାନ ଲଘୁଚାପ ବର୍ଷା ଲାଗି ରହିଥିବା ଯୋଗୁଁ ଖଡ଼ଗ ନଦୀର ଜଳସ୍ତର ବୃଦ୍ଧି ସାଙ୍ଗକୁ ସ୍ରୋତ ପ୍ରଖର ଥିବାରୁ ଏ ପର୍ଯ୍ୟନ୍ତ ଦୁଇ ନିଖୋଜଙ୍କ ଶରୀର ଉଦ୍ଧାର କରାଯାଇ ପାରିନି ତଥାପି ଅଗ୍ନିଶମ ବାହିନୀ, ପରିବାର ଓ ସମ୍ପର୍କୀୟ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିବା ଜଣାପଡିଛି ।