ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସ ପ୍ରଶାସନକୁ ଦୃଢ଼ ନିନ୍ଦା କଲା ଜିଲ୍ଲା ସାମ୍ବାଦିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ଜିଲ୍ଲା ପୋଲିସ ପ୍ରଶାସନକୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ସୂଚନାଯୋଗ୍ୟ ଯେ, ଡିଜିପି. ଅଭୟ କୁମାରଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ଅବସରେ ଆଜି ଦିବା ୧୧ଟା ୧୫ମି. ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରାଯାଇଥିବା ବେଳେ ସମୟ ପୂର୍ବରୁ ସାମ୍ବାଦିକମାନେ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ପହଂଚିଥିଲେ ମଧ୍ୟ ସାମ୍ବାଦିକଙ୍କୁ ଭିତରକୁ ଛଡ଼ା ନଯାଇ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହାର ପ୍ରତିବାଦ କରି ସାମ୍ବାଦିକମାନେ ଡିଜିପିଙ୍କ ସାମ୍ବାଦିକ ସମ୍ମିଳନୀକୁ ବର୍ଜନ କରିଥିଲେ । ଗଣମାଧ୍ୟମର କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି କରିବା, ତଥ୍ୟରୁ ବଞ୍ଚିତ କରିବା ତଥା ଖବର ପରିବେଷଣ ସମୟରେ ଦୁର୍ବ୍ୟବହାର ପ୍ରଦର୍ଶନ ବିରୋଧରେ ଆଜି ଜିଲ୍ଲା ସମ୍ବାଦିକ ସଂଘର ସଭାପତି ହରି ନାରାୟଣ ପୂଜାରୀଙ୍କ ସଭାପତିତ୍ୱରେ ସାମ୍ବାଦିକମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଜରୁରୀ ବୈଠକରେ ଜିଲ୍ଲା ପୋଲିସ ପ୍ରଶାସନ ଉପରେ ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଛି । ସତ୍ୟ ଉନ୍ମୋଚନର ଭୟରେ ଯଦିଓ ଅନେକ ସମୟରେ ଜିଲ୍ଲା ପ୍ରଶାସନ ସାମ୍ବଦିକଙ୍କୁ ଖବର ପରିବେଷଣରୁ ଦୂରେଇ ରଖିଛି, ତଥାପି ବର୍ତ୍ତମାନ କାର୍ଯ୍ୟରତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମୟରେ ଏହା ବହୁ ଗୁଣରେ ବୃଦ୍ଧି ପାଇଛି । ପୋଲିସ ଅଧୀକ୍ଷକଙ୍କ ତରଫରୁ ବାରମ୍ବାର ଅପମାନଜନକ ବ୍ୟବହାର କରାଯାଉଥିବା ବେଳେ ଆଜି ନିମନ୍ତ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ରିଜର୍ଭ ପୋଲିସ ଅଫିସକୁ ପ୍ରବେଶ କରିବାକୁ ବାରଣ କରାଯିବା ଘଟଣା ଅପମାନ ଓ ଅସମ୍ମାନର ଶୀର୍ଷକୁ ଛୁଇଁଛି ବୋଲି ବୈଠକରେ ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା । ତେବେ ଆଗାମୀ ସମୟରେ ଜିଲ୍ଲା ପ୍ରଶାସନ ତଥା ପୋଲିସ ବିଭାଗର କାର୍ଯ୍ୟକ୍ରମଗୁଡ଼ିକରେ ସାମ୍ବାଦିକଙ୍କ ଦ୍ୱାରା ସହଯୋଗ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ନିଷ୍ପତ୍ତି ସଂପର୍କରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ମନ୍ତ୍ରୀ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ, ପୋଲିସ ରାଜ୍ୟ ମହା ନିର୍ଦ୍ଦେଶକ, ପୋଲିସ ରାଜ୍ୟ ନିର୍ଦ୍ଦେଶକ, ୫ଟି ସଚିବଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ସାମ୍ବାଦିକ ସଂଘରେ ଅନୁଷ୍ଠିତ ଏହି ଜରୁରୀ ବୈଠକରେ ସଭାପତି ଶ୍ରୀ ପୂଜାରୀଙ୍କ ସହ ଉପସଭାପତି ଆନଂଦ ଚଂଦ୍ର ସାହୁ, ସାଧାରଣ ସଂପାଦକ ବଳରାମ ମିଶ୍ର, ସାମ୍ବାଦିକ ମନରଂଜନ ଯୋଷୀ, ବିଶ୍ୱଜିତ ଦାଶ, ବିରେନ୍ଦ୍ର କୁମାର ଝାଙ୍କର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମହେନ୍ଦ୍ର ପ୍ରଧାନ, ଗୁପ୍ତେଶ୍ୱର ପୃଷ୍ଟି, ଅରୁଣ ମେଲ୍ଲି, ବିଜୟ କୁମାର ପ୍ରଧାନ, ମୋତିଲାଲ ମିଶ୍ର, କରୁଣାକର ପ୍ରଧାନ, ଚନ୍ଦ୍ରଭାନୁ ମୋଲାନା, ମୁକେଶ ବହିଦାର, ସୁବ୍ରତ କୁମାର ନାୟକ, ନିରୋଜ ମିଶ୍ର, ଚିତ୍ରସେନ ବେହେରା, ସୁଶାନ୍ତ କୁମାର ଠାକୁର, ଦୀପକ ପୁରୋହିତ, ଘଟେଶ୍ୱର ମିଶ୍ର, ସଂଜୟ କୁମାର ମିଶ୍ର, ରାଧାକୃଷ୍ଣ ମିଶ୍ର, ନରେଶ କୁମାର ସାହୁ, ଦେବାଶିଷ ମିଶ୍ର, ସଂଦୀପ କୁମାର କୁଅଁର, ବିଭୂକଲ୍ୟାଣ ଗଡ଼ତ୍ୟା, ପ୍ରଶାନ୍ତ ମହାକୁର, ଦେବୀପ୍ରସାଦ ଥନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!