ମିଠା ଦୋକାନରେ ଲାଗିଲା ନିଆଁ : ମୁଖ୍ୟ ମିସ୍ତ୍ରୀ ମୃତ, ୨ ସହଯୋଗୀ ଗୁରୁତର

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ଥାନା ଅନ୍ତର୍ଗତ ପାନପୋଷ ଛକ ଠାରେ ଥିବା ଓମ୍ ସୁଇଟସ୍ ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିବା ଜଣାପଡିଛି । ଏଥିରେ ସେହି ଦୋକାନର ମୁଖ୍ୟ ମିସ୍ତ୍ରୀ ଅରୁଣ ଯାଦବ ନିଆଁରେ ଜଳି ମୃତ୍ୟୁବରଣ କରିଥିବା ବେଳେ ସହଯୋଗୀ ମିସ୍ତ୍ରୀ ଦ୍ୱୟ ଅନୀଲ ଗୁପ୍ତା ଓ ଅନୁଜ ଯାଦବ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଡିଜେଲ ବର୍ଣ୍ଣରରେ ଦୀପାବଳୀ ମିଠା ପାଇଁ କ୍ଷୀର ଗରମ କରାଯାଉଥିଲା । ବର୍ଣ୍ଣରର ନୋଜେଲରେ ଠିକ୍‌ ଭାବରେ ପବନ ପାସ୍ କରୁନଥିବା ଯୋଗୁଁ ବେଳେବେଳେ ନିଆଁ ରହି ରହି ଜୋରରେ ଜଳୁଥିଲା । ତେଣୁ ଆଖପାଖରେ ଥିବା ତେଲରେ ହଠାତ୍ ନିଆଁ ଲାଗିଯାଇଥିଲା । ସୌଭାଗ୍ୟ ବଶତଃ ସହଯୋଗୀ ଦୁଇ ଜଣ ନିଆଁ ଝାସରୁ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଥିବା ବେଳେ ମୁଖ୍ୟ ମିସ୍ତ୍ରୀ ଘଟଣାସ୍ଥଳରେ ଜଳି ଜୀବନ ହାରିଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ, ମାତ୍ର ଦୋକାନ ସମେତ ଲକ୍ଷାଧିକ ଟଙ୍କାର ସମସ୍ତ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ରଘୁନାଥପାଲି ଥାନା ଅଧିକାରୀ ସୁବ୍ରତ କୁମାର ମେହେର ସଦଳବଳେ ଧରି ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ । ଏହି ଘଟଣାଟି ପାନପୋଷ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Leave A Reply

Your email address will not be published.

one × four =