csstore

ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ଷଷ୍ଠ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ପନ୍ଦନ ଆୟୋଜିତ ସର୍ବ ଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ଷଷ୍ଠ ଦିବସ ସଂଧ୍ୟାରେ ଆସାମର “ସାରସା” ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ସିଭିକ ସେଣ୍ଟର ମଂଚରେ ଅଭିନୀତ ହୋଇଥିଲା ଅହମିଆ ଭାଷାର ନାଟକ “ବିରଳ ତପସ୍ୱୀ” । ବିରାଡି ଓ ମୂଷାର କାହାଣୀକୁ ନେଇ ପ୍ରଦର୍ଶିତ ହୋଇଥିଲା ନାଟକ । ଏମାନଙ୍କ ମଧ୍ୟରେ ବଂଧୁତ୍ୱ ଅସମ୍ଭବ । ବିରାଡି ସର୍ବଦା ଅପେକ୍ଷା ରଖେ ମୂଷାକୁ ଖାଇବା ପାଇଁ । ତେଣୁ କାଇଦାକରି ବିରାଡି ମାରି ଖାଇଦିଏ ମୂଷାର ମା ଓ ବାପାଙ୍କୁ । ଏହା ଜାଣି ସେମାନଙ୍କ ତିନୋଟି ପିଲା ବିରାଡିକୁ ପାନେ ଦେବା ପାଇଁ ଯୋଜନା କରନ୍ତି, କିନ୍ତୁ ସେତେବେଳେ ମଧ୍ୟ ଚାଲାକ ବିରାଡି ମୂଷା ତିନିଙ୍କ ଭିତରେ ଫାଟ ସୃଷ୍ଟି କରି ସେମାନଙ୍କୁ ଗିରଫ କରି ନିଅନ୍ତି । ତଥାପି ବୁଦ୍ଧି ଖର୍ଚ୍ଚ କରି ନିଜ ଅନ୍ୟ ଦୁଇଭାଇକୁ ବିରାଡି ପାଖରୁ ଗିରଫ ଦୁଇ ଭାଇଙ୍କୁ ଖସାଇ ଆଣିଛି । ବିରାଡି ବେକରେ ଗୋଟେ ଘଣ୍ଟି ବାନ୍ଧିବାକୁ ମୂଷା ତିନିଭାଇ ଯୋଜନା କରନ୍ତି ଏବଂ ସଫଳ ମଧ୍ୟ ହୁଅନ୍ତି, ସାହସ କରି ବାନ୍ଧି ବି ଦିଅନ୍ତି । ଏହି କାହାଣୀ ମାଧ୍ୟମରେ ସମାଜରେ ଶୋଷକ ଓ ଶୋଷିତର କଥା ଦେଖେଇ ଦିଆଯାଇଛି । ନିଜ ଶକ୍ତି, ସାମର୍ଥ୍ୟ ବଳରେ ଶୋଷକ ଗୋଷ୍ଠି ସର୍ବଦା ସାଧାରଣ ବର୍ଗଙ୍କୁ ସଦା ଶୋଷଣ କରି ଚାଲିଛନ୍ତି, ଶୋଷିତ ସାଧାରଣ ବର୍ଗ ସେଥିରୁ ମୂଷା ସଦୃଶ ସର୍ବଦା ନିଜ ବୁଦ୍ଧି ବଳରେ ଶୋଷକ ଗୋଷ୍ଠିକୁ ଉଚିତ୍ ଜବାବ ଦେବାପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ଏ କାହାଣୀ ମାଧ୍ୟମରେ ଦର୍ଶାଯାଇଥିଲା । ନାଟକଟିରେ ଦର୍ଶାଯାଇଥିଲା ଯେ ଶତୃପକ୍ଷ ଯେତେ ଶକ୍ତିଶାଳୀ ହୋଇଥିଲେ ହେଁ ନିଜ ବୁଦ୍ଧି ଓ ମନର ଦୃଢତା ବଳରେ ସେମାନଙ୍କୁ ପରାସ୍ତ କରାଯାଇପାରେ । ନାଟ୍ୟକାର ଓ ନିର୍ଦ୍ଦେଶକ ଅସିମ୍ କୁମାର ନାଥଙ୍କ ନିର୍ଦ୍ଦେଶିତ ଏହି ନାଟକର ସଂଗୀତ ନିର୍ଦ୍ଦେଶକ ଥିଲେ ରାଜଦୀପ ଦତ୍ତ ଏବଂ ମଂଚ ସଜ୍ଜା କରିଥିଲେ ରିପୁଂଜୟ ଦତ୍ତ । ନାଟକଟିରେ ଅଭିନୟ ସମସ୍ତଙ୍କୁ ବାନ୍ଧି ରଖିଥିଲା । ନାଟକର ନିର୍ଦ୍ଦେଶକ ଅସୀମ କୁମାର ଦତ୍ତଙ୍କୁ ମଂଚରେ ସମ୍ମାନିତ କରିବା ପରେ ନାଟକ ଆରମ୍ଭ ହୋଇଥିଲା ।

jayashree
Leave A Reply

Your email address will not be published.