csstore

ଭାରତୀୟ ସଂସ୍କୃତି ଇତିହାସରେ ଅବହେଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡସ୍ଥିତ ଗୋପବନ୍ଧୁ ପାଠାଗାର ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ନିର୍ମଳ ମୁଣ୍ଡା ନଗର ଶାଖାର ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ଶାଖାର ସଭାପତି ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀ ଅଧ୍ୟକ୍ଷତା କରି କହିଲେ ଯେ, ଓଡ଼ିଶାର ମହାପୁରୁଷ ମାନଙ୍କୁ କେବଳ ଶ୍ରାଦ୍ଧ ବାର୍ଷିକୀ ଏବଂ ଜୟନ୍ତୀ ଦିବସରେ ସ୍ମରଣ କରିଥାଉ । ଉତ୍ତର ପିଢିଙ୍କୁ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ କରିବାର ପ୍ରୟାସ ହୋଇନଥାଏ । ଅତୀତରେ ଦେଶାତ୍ମକବୋଧ କବିତା ଦେଶରୁ ଅନ୍ୟାୟ ଅତ୍ୟାଚାର ବିରୋଧରେ ସଂଗ୍ରାମ କରି ପରିବର୍ତ୍ତନ ଆଣିବା ପାଇଁ ମୁଖ୍ୟ ଭୂମିକା ନେଇଥିଲା ବୋଲି ପ୍ରକାଶ କରିଥିଲେ । ବିଷୟ ବିଶେଷଜ୍ଞ ଭାବେ ଗାଳ୍ପିକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଗୌତମ ଦାସ ଯଥାକ୍ରମେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅବଦାନ ଏବଂ ରାଷ୍ଟ୍ର ନିର୍ମାଣରେ କବିତାର ଭୂମିକା – ଶୀର୍ଷକରେ ଆଲୋଚନା କରିଥିଲେ । ବିଷୟ ବିଶେଷଜ୍ଞ ଶ୍ରୀ ଆଚାର୍ଯ୍ୟ ଗଜପତି ସ୍ୱତନ୍ତ୍ର ଓଡିଶାର ପ୍ରଥମ ଓ ତୃତୀୟ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବପିଢି ଆଗେଇ ଆସିଲେ ଦେଶ ଉନ୍ନତି କରିବ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ବିଷୟ ବିଶେଷଜ୍ଞ କବି ଓ ନାଟ୍ୟକାର ଗୌତମ ଦାସ ଯୋଗ ଦେଇ କବିତା କେବଳ କବିର କଥା ନୁହେଁ, ଏହା ଲୋକ ମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ ଶବ୍ଦରେ ଗୁନ୍ଥା ସୁନ୍ଦର ମାଳାଟିଏ, ଯାହାର ଅନ୍ତସ୍ୱରରେ ସମାଜକୁ ସୁପଥରେ ବଢେଇ ନେବାର ବାର୍ତ୍ତା ଦେଇଥାଏ । କବିତା ରାଷ୍ଟ୍ରର ନୈତିକ, ବୌଦ୍ଧିକ ଓ ସାଂସ୍କୃତିକ ବିକାଶର ବାହକ ହୋଇଥାଏ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରଫେସର ଶ୍ରୀନାଥ ଜେନା ଯୋଗ ଦେଇ କହିଲେ ଯେ, ଐତିହାସିକମାନେ ଉତ୍କଳ ସନ୍ତାନ ମାନଙ୍କୁ ଠିକ ଭାବରେ ଗୁରୁତ୍ୱ ଦେଇନାହାନ୍ତି । ଭାରତୀୟ ସଂସ୍କୃତିକୁ ଅବହେଳା କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ କବି ଅଜୟ କୁମାର ମହାନ୍ତି ଏବଂ ଚିନ୍ମୟୀ ପୁରୋହିତଙ୍କ ସଂଯୋଜନାରେ କିଶୋରୀ ମୋହନ କର, ତ୍ରିଲୋଚନ ସ୍ୱାଇଁ, ବ୍ରଜେନ୍ଦ୍ର ଦାଶ, ନିରୁପମା ପତି, ପ୍ରତାପ ଚନ୍ଦ୍ର ପଣ୍ଡା, ଶଶଧର ଅମୀୟ ମହାନ୍ତି, ପ୍ରତିମା ମିଶ୍ର, ବ୍ରହ୍ମ।ନନ୍ଦ ପାଢ଼ୀ, ନିକୁଞ୍ଜବିହାରୀ ଦାଶ, ଗଦାଧର ରଥ, ଚିନ୍ମୟୀ ପୁରୋହିତ, ଅଜୟ ମହାନ୍ତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ସଦସ୍ୟ ଭଜହରି ବେହେରା ଅତିଥି ମାନଙ୍କୁ ସ୍ୱାଗତ ଓ ପରିଚୟ, ରମେଶ ଚନ୍ଦ୍ର ସିଂ ଧନ୍ୟବାଦ ଏବଂ ଦୀପକ କୁମାର ସାହୁ ମଞ୍ଚ ସଂଯୋଜନା କରିଥଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ହରିହର ଶତପଥୀ, ସରୋଜ କୁମାର ସ୍ୱାଇଁ, ଗଜେନ୍ଦ୍ର ସାହାଣୀ ପ୍ରମୁଖ ସହଯୋଗ କରିଥିଲେ । ହୃଷିକେଶ ନାୟକ, ବିଜୟକୁମାର ପରିଡା, ହରିହର ନାୟକ ଓ ପ୍ରଭାତୀ ଗୋସ୍ୱାମୀ ପ୍ରମୁଖ ସମାରୋହରେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.