ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଚାଲିଥିବା ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ତୃତୀୟ ଦିବସରେ ନାଟ୍ୟକାର ଚୁଡାମଣୀ ରଥଙ୍କ ଲିଖିତ ତଥା ନିର୍ଦ୍ଦେଶିତ ନାଟକ “ବାରସ୍କନ୍ଧ” ମୁନଲାଇଟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, କେସେଇପାଲି, ବରଗଡ଼ର କଳାକାରମାନେ ଚମତ୍କାର ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାପରେ ସୁମନ୍ତ ଭୋଇଙ୍କ ଲିଖିତ ତଥା ଅଶୋକ କୁମାର ବେହେରାଙ୍କ ନିର୍ଦ୍ଦେଶନାରେ ଆରମ୍ଭ ହୋଇଥିଲା ନାଟକ ନାଇଟ ହସ୍‌ପିଟାଲ । ଏହି ନାଟକଟିକୁ ସୌଖିନ କଳାକାର ସଂଘ ବରଗଡ଼ର କଳାକାରମାନେ ପରିବେଷଣ କରିଥିଲେ । ଶେଷରେ ବଲାଙ୍ଗିର ସଦର ବ୍ଲକ ଚିକଲବାହାଲର ରାମଲୀଳା କଳାକାରମାନେ ସୀତାଚୋରୀ ନାଟକ ସୁନ୍ଦର ଭାବରେ ଅଭିନୟ କରିଥିଲେ । ଆଜିର ଅତିଥି ଭାବରେ ବଲାଙ୍ଗିର ଏକ୍‌ସନ୍‌ କମିଟିର ସଭାପତି ଗୋପାଲଜୀ ପାଣୀଗ୍ରାହୀ ଏବଂ ଡା. ରୁଦ୍ରନାରାୟଣ ପଟେଲ ଯୋଗଦାନ କରି କଳାକାରମାନଙ୍କୁ ପ୍ରମାଣପତ୍ର ସହ ମେଡାଲ ଦେଇ ପୁରସ୍କୃତ କରିଥିଲେ । ସାଇଟ କଲେଜର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଏବଂ ସାମାଜିକ କର୍ମୀ ସୁଲୋଚନା ମିଶ୍ର ତଥା ପଲ୍ଲବିନୀ ପାଣିଗ୍ରାହୀ ମଂଚାସୀନ ଥିଲେ । ଆଜିର ମଂଚକୁ ନାଟ୍ୟକାର ପ୍ରଶାନ୍ତ ଖମାରୀ ପରିଚାଳନା କରିଥିବା ବେଳେ ମଧୁସୁଦନ ନାୟକ ସହଯୋଗ କରିଥିଲେ । ଚଳିତ ବର୍ଷ ନାଟବାଦୀ ବଦଳରେ ନାଟକୋତ୍ସବ ହେଉଥିଲେ ମଧ୍ୟ ବିଚାରକ ମଣ୍ଡଳୀର ଜଗଦାନନ୍ଦ ଛୁରିଆ, ସନାତନ ଠାକୁର, ସୁଧାଂଶୁ ପଟ୍ଟନାୟକ ତଥା ପଦ୍ମ ଚରଣ ଆଚାର୍ଯ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ଆୟୋଜକ କମିଟିର ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

one × one =