om academy

ବଲାଙ୍ଗିରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌ପି, ଏସ୍‌ଡ଼ିପିଓ ଓ ଆଇଆଇସି.ଙ୍କ ବଦଳି ଦାବୀ କଲେ ବିଧାନସଭାରେ ନରସିଂହ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେପ୍ଟେମ୍ବର ମାସ ୪ ତାରିଖରେ ବଲାଙ୍ଗିର କୋଭିଡ କେଆର ସେଂଟରରେ ମହିଳାଙ୍କୁ କାର୍ଯ୍ୟରତ ଡାକ୍ତରଙ୍କ ଦ୍ୱାରା ଯୌନ ନିର୍ଯାତନା ଘଟଣାକୁ ନେଇ ଆଜି ବିଧାନସଭା ପୁଣି ଗରମ ହୋଇଛି । ଆଜି ପୁଣି ଥରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି ଘଟଣାକୁ ନେଇ ବିଧାନସଭାରେ ଚର୍ଚ୍ଚା କରିବା ସହ ବଲାଙ୍ଗିରରେ ଭାଙ୍ଗି ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବଲାଙ୍ଗିରର ଆଇନ ବ୍ୟବସ୍ଥା ଗୁଣ୍ଡା, ନିଶା ମାଫିଆ ଓ ଅପରାଧୀଙ୍କ ଆଗରେ ମୁଣ୍ଡ ନୁଆଁଉଥିବା ବେଳେ ଗରିବ ଜନସାଧାରଣ ଅଗରେ ବାଘ ପାଲଟୁଛି । ଜିଲ୍ଲା ପୋଲିସର ଏସପି, ଏସଡିପିଓ ଓ ଆଇଆଇସି ସହର ତଥା ଜିଲ୍ଲାରେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ସଂପୁର୍ଣ୍ଣ ଭାବରେ ଫେଲ ମାରିଛନ୍ତି । ଆଇନ ଶୃଙ୍ଖଳାକୁ ସୁଧାରିବା ପରିବର୍ତ୍ତେ ବଲାଙ୍ଗିର ପୋଲିସର ଏହି ପଦାଧୀକାରୀ ମାନେ ଅନେକ ଘଟଣା ଚାପି ଦେବା ସହିତ , ବିଭିନ୍ନ ଘଟଣାରେ ସାଲିସ କରି କେବଳ ପଇସା ଆୟ କରିବାରେ ବ୍ୟସ୍ତ ଅଛନ୍ତି । ତେଣୁ ଜିଲ୍ଲାରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ହେଲେ ସରକାର ଏମାନଙ୍କୁ ତୁରନ୍ତ ବଦଳି କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ବିଧାନସଭାରେ ଦାବୀ କରିଛନ୍ତି ।


ଗତ ସେପ୍ଟେମ୍ବର ମାସ ୪ ତାରିଖରେ ବଲାଙ୍ଗିର କରୋନା କେଆର ସେଂଟରରେ ଚିକିତ୍ସିତ ହେଉଥିବା ମହିଳାଙ୍କୁ କାର୍ଯ୍ୟରତ ଡାକ୍ତର ଦେଇଥିବା ଯୌନ ନିର୍ଯାତନା ଘଟଣାକୁ ଉଦ୍ଧାର କରି ସେ କହିଛନ୍ତି ଯେ, ସରକାରୀ ରିପୋର୍ଟ ଅନୁସାରେ , ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ପ୍ରବଳ ମାଡ ଖାଇବା ପରେ, ନିଜେ ଡାକ୍ତର ଉକ୍ତ ଘଟଣାକୁ ସ୍ୱୀକାର କରିଥିଲେ । ପୀଡିତ ମହିଳା ଜଣକ ଅଗଷ୍ଟ ୩୧ ତାରିଖରେ ଚିକିତ୍ସା ପାଇଁ ବଲାଙ୍ଗିର କୋଭିଡ କେଆର ସେଂଟରରେ ଭର୍ତ୍ତି ହୋଇଥିବା ବେଳେ କାହିଁକି ଘଟଣାର ଠିକ ପରଦିନ ହସପିଟାଲ ଛାଡି ଚାଲିଯାଇଥିଲେ । ଏହା ଘଟଣା ଘଟିଥିବା ସ୍ପଷ୍ଟ କରୁନାହିଁ କି ? ଆହୁରି ପୋଲିସ ଗାଡି ସେହି ଅଭିଯୋଗରେ ଡାକ୍ତରଙ୍କୁ ଥାନାକୁ ଉଠାଇ ଆଣିଥିଲା । କିନ୍ତ ଥାନାକୁ ପହଞ୍ଚିଲା ପରେ କିପରି ବଲାଙ୍ଗିର ପୋଲିସ ପୀଡିତା ଉପରେ ଚାପ ପ୍ରୟୋଗ କରି ଘଟଣାକୁ ଚାପି ଦେବା ଉଦ୍ୟମ କରିଥିଲା । ଆମେ ସମସ୍ତେ ଆଜି ହାଥରସ ଘଟଣାକୁ ନିନ୍ଦା କରୁଛୁ । କିନ୍ତୁ ଏହି ଘଟଣା ବି ଠିକ ହାଥରସ ଘଟଣାର ପୁନରାବୃତ୍ତି ପରି ମନେହୁଏ, ଯେଉଁଠି ଦୁଷ୍କର୍ମ ପରେ ପୋଲିସ ଘଟଣାକୁ ଚାପି ଦେବା ଉଦ୍ୟମରେ ପୀଡିତା ପରିବାର ଉପରେ ଚାପ ପ୍ରୟୋଗ କରେ, ସେହିପରି ବଲାଙ୍ଗିର ପୋଲିସ ମଧ୍ୟ ଘଟଣାକୁ ଚାପି ଦେବା ଉଦ୍ୟମରେ ଓଲୋଟା ପୀଡ଼ିତା ବିରୁଦ୍ଧରେ ପ୍ରମାଣ ସଂଗ୍ରହ କରିଛି । ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ଅଧୀକାରି ସେହି ଡାକ୍ତରଙ୍କୁ ବେଆଇନ ଚାକିରୀ ଦେବା ସହ ଏହି ଘଟଣାକୁ ଚାପି ଦେବା ଉଦ୍ୟମରେ ମଧ୍ୟ ସାମିଲ ଅଛନ୍ତି । ତେଣୁ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ସମସ୍ତ ଦୋଷୀଙ୍କ ଉପରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.