pakka

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ପଂଚମ ଦିନରେ ସାମିଲ ହେଲେ ବରିଷ୍ଠ ନାଗରିକ ମଂଚ

bbehera
  • ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର, ଆନ୍ଦୋଳନରୁ ଓହରିବାକୁ ତହସିଲଦାରଙ୍କ ଅନୁରୋଧ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀରେ ଗଣଧାରଣା ଆଜି ପଂଚମ ଦିନରେ ପହଂଚିଛି । ଆଜି ଏହି ଆନ୍ଦୋଳନରେ ମ.ରାମପୁର ବ୍ଲକ ଉର୍ଲଦାନୀ ପଂଚାୟତବାସୀଙ୍କ ସହିତ ସାମିଲ ହୋଇଥିଲେ ବରିଷ୍ଠ ନାଗରିକ ମଂଚର କର୍ମକର୍ତ୍ତା । ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ବରିଷ୍ଠ ନାଗରିକ ମଂଚର ଉପସଭାପତି ବୁଧେନ୍ଦ୍ର ପ୍ରତାପ ସିଂହଦେଓ ଓ ସଂପାଦକ ଲଳିତ କୁମାର ମହାଲିକ ମଂଚ ତରଫରୁ ତହସିଲଦାର ଜୟନ୍ତ କୁମାର ମେହେରଙ୍କୁ ପ୍ରଦାନ କରିବା ସହିତ ଆନ୍ଦୋଳନର ଆଭିମୁଖ୍ୟ ଏବଂ ନାର୍ଯ୍ୟ ଦାବୀ ପୁରଣ ନ ହେବା ଯାଏଁ ଆମେ ବରିଷ୍ଠ ନାଗରିକମାନେ ମଧ୍ୟ ବୟସର ଅପରାହ୍ନରେ ବି ଏହି ଗଣଧାରଣାରେ ସାମିଲ ହୋଇଛୁ ଏବଂ ସାମିଲ ହୋଇ ରହିବୁ ବୋଲି କହିଥିଲେ । ତହସିଲଦାର ଶ୍ରୀ ମେହେର ଆନ୍ଦୋଳନକାରୀମାନଙ୍କୁ ଆନ୍ଦୋଳନରୁ ଓହରି ଯିବାକୁ ଅନୁରୋଧ କରିବା ସହିତ, ଆପଣମାନଙ୍କ ଦାବୀ ପ୍ରଶାସନ ପାଖରେ ପହଂଚି ସାରିଛି, ତେଣୁ ଆପଣମାନେ ଆନ୍ଦୋଳନରୁ ଓହରିଯାନ୍ତୁ, ଆଗକୁ ଏହି ସଂକ୍ରାନ୍ତରେ ଯାହା ବି ଯୋଗାଯୋଗ ପ୍ରଶାସନ ତରଫରୁ ହେବ, ଆପଣମାନଙ୍କୁ ଏହାର ସମସ୍ତ ତଥ୍ୟ ପ୍ରଦାନ କରାଯିବ । କିନ୍ତୁ ଆନ୍ଦୋଳନକାରୀମାନେ ଏହି ଗଣଧାରଣା ଜାରି ରଖିବୁ ବୋଲି କହିବା ସହିତ ଗଣଧାରଣା ଜାରି ରଖିଥିବା ଜଣାଯାଇଛି । କେବଳ ବରିଷ୍ଠ ନାଗରିକ ନୁହେଁ ବରଂ ଆଗାମୀ ଦିନରେ ବିଭିନ୍ନ ଅନୁଷ୍ଠାନ ଏହି ଧାରଣାରେ ନିଜକୁ ସାମିଲ କରାଇବେ ଏବଂ ଧାରଣା ଦାବୀ ହାସଲ ଯାଏଁ ବଳବତ୍ତର ରହିବ ବୋଲି ସଂଗ୍ରାମ ମଂଚର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଏବଂ ମୁଖ୍ୟ ପୁରୋଧା ଯୁବନେତା ବିଭୂତି ଭୂଷଣ ମହାଖୁଡ଼ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଆଜି ଏହି ଗଣଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ପଟ୍ଟନାୟକ, ଚମରା ବଗର୍ତ୍ତୀ, ଗଙ୍ଗାଧର ପ୍ରହରାଜ, ବିଶ୍ୱଜିତ ଚାଟାର୍ଜୀ, ଖଗେଶ୍ୱର ଦାସ, ସତ୍ୟାନନ୍ଦ ରାଉତ, ପ୍ରଭାକର ନାଗ, ସତ୍ୟଜିତ ଚାଟାର୍ଜୀ, ପଦ୍ମଲୋଚନ ମିଶ୍ର, ଅଭୟ କୁମାର ସେନାପତି, ସତ୍ୟା ମାଝୀ, କୈଳାସ ଚନ୍ଦ୍ର ମାଝୀ, ଶ୍ୟାମ ମାଝୀ, ରାଜୁ ମାଝୀ, ଦିବାକର ବାଗ, ଶ୍ରୀକୃଷ୍ଣ ଡ଼ୁଙ୍ଗୁରୀ, ବାବୁଲାଲ ସାହୁ ଏବଂ ସୁରେଶଚନ୍ଦ୍ର ମାଝୀ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.

seven + 9 =