
ପଦ୍ମପୁର, (ନିରୋଜ କୁମାର ପାଣୀ) : ଶାରଦୀୟ ନବରାତ୍ର ଅବସରରେ ପଦ୍ମପୁର ବଡ଼ବନ୍ଧସ୍ଥିତ ନବଦୁର୍ଗା ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଚାଲିଛି । ନବରାତ୍ରର ପ୍ରଥମ ଦିନରେ ମା’ ଶୈଳପୁତ୍ରୀ ବେଶରେ ଏବଂ ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମା’ଙ୍କ ଦର୍ଶନ କରି ଭକ୍ତମାନେ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ପ୍ରାର୍ଥନା କରିଥିଲେ । ଏହି ଅବସରରେ ରଜନୀ ଦାଶ ଓ ତାଙ୍କ ଧର୍ମପତ୍ନୀ ଉର୍ମିଳା ପଣ୍ଡା ଏବଂ ଅକ୍ଷୟ କୁମୁରିଆ ଓ ତାଙ୍କ ଧର୍ମପତ୍ନୀ ଶ୍ରୀୟା କୁମୁରିଆ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ମନ୍ତ୍ରୋଚ୍ଚାରଣ, ଶଙ୍ଖନାଦ ଓ ବିଧିବିଧାନ ଅନୁଯାୟୀ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏଥିସହ ମା’ଙ୍କ ପାର୍ଶ୍ୱ ଦେବଦେବୀଙ୍କୁ ମଧ୍ୟ ପୂଜାର୍ଚ୍ଚନା ଓ ଆଳତି କରାଯାଇଥିଲା । ନବଦିନାତ୍ମକ ପୂଜା ଅବସରରେ ଚଣ୍ଡୀପାଠ ସହ ବିଭିନ୍ନ ଧାର୍ମିକ ରୀତିନୀତି ଜାରି ରହିଛି । ବନଦୁର୍ଗା ମନ୍ଦିର ପୂଜା କମିଟିର ସଭାପତି ଡାକ୍ତର ପ୍ରଭାତ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନେ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ଭକ୍ତିମୟ ପରିବେଶ ମଧ୍ୟରେ ମା’ଙ୍କ ଆରାଧନା ଜାରି ରହିଥିବାରୁ ଅଞ୍ଚଳରେ ଆଧ୍ୟାତ୍ମିକ ଉତ୍ସାହ ଦେଖିବାକୁ ମିଳିଛି ।