pakka

ମିନାକ୍ଷୀ ଧରଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

bbehera
  • ମିନାକ୍ଷୀ ଥିଲେ ମହିଳା ସଶକ୍ତିକରଣର ପ୍ରତୀକ : ସୌମ୍ୟରଂଜନ

ରାଉରକେଲା, (କେପିଏନ୍‌ଏସ୍‌) : ମିନାକ୍ଷୀ ଧର ଫାଉଣ୍ଡେସନ ଓ ୱାଇଏମ୍‌ଏଫ୍‌ଆଇର ମିଳିତ ଆନୁକୂଲ୍ୟରେ ସ୍ୱର୍ଗତା ମିନାକ୍ଷୀଙ୍କ ପ୍ରଥମ ସ୍ମୃତିଚାରଣ ସଭା ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଆବାହକ ନଳିନୀକାନ୍ତ ଧରଙ୍କ ଆବାହକତ୍ୱରେ ଓ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୈନିକ ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଓ ନାଟ୍ୟକାର ଦ୍ବାରିକାପ୍ରସାଦ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମିନାକ୍ଷୀଙ୍କ ସ୍ମୃତି ଚାରଣ କରିଥିଲେ । ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଲେ ଯେ, ସ୍ମୃତିସଭା ଉତ୍ସବ ମୁଖର ହେଉ । ତା’ସହିତ ଏହା ସତସଙ୍ଗରେ ପରିଣତ ହେବା ଉଚିତ । ମିନାକ୍ଷୀ କେବଳ ଶ୍ରେଷ୍ଠ ଉଦଘୋଷିକା ନଥିଲେ ବରଂ ସେ ଏକାଧିକ ସାହିତ୍ୟିକ, ସାମାଜିକ, ସାଂସ୍କୃତିକ, ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ଜଡିତ ରହି ସ୍ବକୀୟ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ । ସେ ଥିଲେ ମହିଳା ସଶକ୍ତିକରଣର ପ୍ରତୀକ । ସମ୍ମାନିତ ଅତିଥି ବିଧାୟକ ଶ୍ରୀ ନାୟକ କହିଲେ ଯେ, ମିନାକ୍ଷୀ ରାଉରକେଲାର ପରିଚୟକୁ ବିସ୍ତାରିତ କରିଥିଲେ । ତାଙ୍କର ବିକଳ୍ପ ନାହିଁ । ନାଟ୍ୟକାର ତଥା ମିନାକ୍ଷୀଙ୍କ ମାମୁଁ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ମିନାକ୍ଷୀ ବହୁ ପ୍ରତିଭାର ଅଧିକାରିଣୀ ଥିଲେ । ପ୍ରାକ୍ତନ ପ୍ରଶାସକ ଶ୍ରୀ ପଟ୍ଟନାୟକ କହିଲେ ଯେ, ମିନାକ୍ଷୀ କେବଳ ରାଉରକେଲା ନୁହେଁ ସହର ବାହାରେ ମଧ୍ୟ ସ୍ବପରିଚୟ ସୃଷ୍ଟି କରିପାରିଥିଲେ । ପ୍ରାରମ୍ଭରେ ଡଃ କିଶୋରୀ ଦାଶ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସର୍ବଶ୍ରୀ ରାଜୀବ ପାଣି, ବ୍ରଜେନ୍ଦ୍ର ଦାଶ, ବ୍ରଜେନ୍ଦ୍ର ନାୟକ, ପ୍ରାଚୀ ଧର, ଅର୍ପିତା ଗୁରୁ ପ୍ରମୁଖ ମିନାକ୍ଷୀଙ୍କ ସଂପର୍କରେ ତଥା ତାଙ୍କ ସ୍ମୃତିକୁ ରୋମନ୍ଥନ କରିଥିଲେ । ଏହି ଅବସରରେ ଅତିଥିମାନେ ଏକ ସ୍ମରଣିକା “ମିନାକ୍ଷୀ”କୁ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଗୁରୁକୂଳ ଆଶ୍ରମର ଅନ୍ତେବାସୀମାନେ ବେଦମନ୍ତ୍ର ଉଚ୍ଚାରଣ ଓ ଶ୍ଳୋକ ପାଠ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଧର ମିନାକ୍ଷୀଙ୍କ ସଂପର୍କରେ ବକ୍ତବ୍ୟ ରଖିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ୱାଇଏମ୍ଏଫ୍‌ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କଣୃଶିଳ୍ପୀ ଶଙ୍କର ଦାନ, ସୋନପ୍ରିୟା ପଲେଇ, ଝୁନୁ ନାୟକ, ସ୍ମିତା ମିଶ୍ର, ଡଃ ସୁଶାନ୍ତ ପାଣି, ପିଙ୍କି ପ୍ରିୟଦର୍ଶନୀ, ଶରତଚନ୍ଦ୍ର ପଣ୍ଡା, ନିଶିପଦ୍ମା ନନ୍ଦ ଓ ତରୁଣ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଅଳକା ଚାନ୍ଦଙ୍କୁ କଳା ଓ ସଂଗୀତ କ୍ଷେତ୍ର ପାଇଁ, ଜ୍ୟୋସ୍ନା କୁମାରୀ ନାଏକ ସାହିତ୍ୟ କ୍ଷେତ୍ର ପାଇଁ ଓ ଗୁରୁନ୍ଦର ସିଂହଙ୍କୁ ସେବାକ୍ଷେତ୍ର ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ଗୁଡିକ ପାଠ କରିଥିଲେ ଜୋସ୍ନା ସାହୁ, ନିରୁପମା ପତି ଓ ସୁସ୍ମିତା ମହାପାତ୍ର । କାର୍ଯ୍ୟକ୍ରମରେ ମିନାକ୍ଷୀ ଧରଙ୍କ ଉପରେ ଆଧାରିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଗୁରୁ ସୁବ୍ରତ ଭୁୟାଁଙ୍କ ଛାତ୍ରୀଗଣ ନୃତ୍ୟ ପରିବେଷଣ କରିଥିଲେ । ଗରିମା ପରିବାର ପକ୍ଷରୁ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶ୍ରୀ ଧରଙ୍କ ପରିବାର ଓ ଆତ୍ମୀୟ ସ୍ବଜନ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଙ୍କର ଜେନା, ସନ୍ତୋଷ ରଥ, ଆଲୋକ ଜେନା, ସୂର୍ଯ୍ୟ ପାଢୀ, ସିଲି ମହାନ୍ତି, ମମତା ନାୟକ, ଚନ୍ଦ୍ର ଶେଖର ଶତପଥୀ, ହିରାଲାଲ ମହାପାତ୍ର, ଶାନ୍ତିଲତା ବାରିକ, ସୁମନ ଦତ୍ତ, ପି ପି ସ୍ବାଇଁ, ରାକ୍ଷୀ ନନ୍ଦଙ୍କ ସମେତ ବହୁ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

3 × 4 =