କ୍ୱାରେନ୍‌ଟାଇନ୍‌ ଅନୁଦାନ ମିଳିନି ପ୍ରବାସୀ ଶ୍ରମିକଙ୍କୁ

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ର ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବରି ଗାଁର ଅନେକ ଦାଦନ ଶ୍ରମିକଙ୍କୁ କ୍ୱାରେନ୍‌ଟାଇନ୍‌ ଅନୁଦାନ ମିଳି ନଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଲକ୍‌ଡାଉନ୍‌ ସମୟରେ ଯେଉଁ ପ୍ରବାସୀ ଶ୍ରମିକମାନେ ନିଜ ଜନ୍ମମାଟିକୁ ଆସି କ୍ୱାରେନ୍‌ଟାଇନ୍‌ ସେଂଟର୍‌ରେ ରହିଥିଲେ, ସେମାନଙ୍କ ପାଇଁ ୨ ହଜାର ଟଙ୍କା ଲେଖାଏଁ ଅନୁଦାନ ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । କିନ୍ତୁ ତୁରେକେଲା ବ୍ଲକ୍‌ର ଅନେକ ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକମାନଙ୍କୁ ଏହି ଅନୁଦାନ ଦିଆଯାଇ ନଥିବା ଭଳି ଗୁରୁତର ଅଭିଯୋଗ ଆସୁଛି । ସୂଚନାଯୋଗ୍ୟ ଯେ, ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବରି ଗାଁର ଲିଳେନ୍ଦ୍ରୀ ନାଗ, ହେମା ନାଗ, କ୍ଷେମା ନାଗ, ପ୍ରଭା ନାଗ, ଭବାନୀ ନାଗ, ଖୁସିରାମ ମହାନନ୍ଦ, ରାହାସ ମହାନନ୍ଦ, ପ୍ରିୟା ଛତ୍ରିଆ ଏବଂ ଧୁସାମୁଣ୍ଡା ଗାଁର ପରମେଶ୍ୱର ଦୀପ, ଭୂମି ଦୀପ, ଧନେଶ୍ୱର ଦୀପ, ଜୟନ୍ତୀ ଦୀପ ହାଇଦ୍ରାବାଦକୁ ଇଟା ଗଢ଼ିବା ପାଇଁ ଦାଦନ ଶ୍ରମିକ ଭାବେ ଯାଇଥିଲେ ଏବଂ କରୋନା ସଂକ୍ରମଣ ହେତୁ ଲକ୍‌ଡାଉନ୍‌ ସମୟରେ ନିଜ ନିଜ ଗାଁକୁ ଫେରି ସରକାରଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିବା କ୍ୱାରେନ୍‌ଟାଇନ୍‌ ସେଂଟର୍‌ରେ ରହିଥିଲେ । ତେବେ ସେମାନେ କ୍ୱାରେନ୍‌ଟାଇନ୍‌ ଅନୁଦାନ ବର୍ତ୍ତମାନ ପର୍ଯ୍ୟନ୍ତ ପାଇ ନଥିବା ଅଭିଯୋଗ ଆଣିଛନ୍ତି । ତୁରେକେଲା ବ୍ଲକ୍‌ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଏହି ଗରିବ ପ୍ରବାସୀ ଶ୍ରମିକମାନଙ୍କୁ ସଂପୃକ୍ତ ଅନୁଦାନ ପ୍ରଦାନ କରିବା ପାଇଁ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.