ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ ଜେନାଙ୍କ କଥା ଶୁଣିଲେନି ବରଗଡ଼ ଜିଲ୍ଲାପାଳ : ଟେମରି ରୁ ପଲସଦା ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଦୀପା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ରାଜ୍ୟ ସରକାର ସବୁବେଳେ ବିକାଶରେ ବିଶ୍ୱାସ କରୁଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଦକ୍ଷତାର ସହିତ ଓଡିଶାକୁ ପ୍ରଗତି ଆଡକୁ ଅଗ୍ରସର କରାଉଛନ୍ତି ବୋଲି ଗୋଟାଏ ବିଶ୍ୱାସ ଲୋକଙ୍କ ଭିତରେ ଜନ୍ମ ନେଇଥିବା ବେଳେ ଏବେ ମଧ୍ୟ କେତେକ ଉପାନ୍ତ ଅଂଚଳ ରହିଯାଇଛି, ଯାହା ଉପରେ ସରକାର କି ପ୍ରଶାସନ ତଥା ଜନପ୍ରତିନିଧିଙ୍କ ଦୃଷ୍ଟି ପଡୁନାହିଁ । ଯାହା ଫଳରେ ଆଜିବି ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକରେ । ଉଦାହରଣ ହେଉଛି ଟେମରୀ ଗ୍ରାମରୁ ପଲସଦା ଗ୍ରାମ ପର୍ୟ୍ୟନ୍ତ ରାସ୍ତା, ଯାହାକି ବର୍ଷା ଦିନରେ ସମ୍ପୂର୍ଣ ଭାବେ ବିଛିନ୍ନ ହୋଇପଡେ ।

ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମରୁ ପଲସଦା ଗ୍ରାମକୁ ଲୋକେ ସଦାସର୍ବଦା ଯାତାୟାତ କରିଥାନ୍ତି, ଯାହାର ଅନେକ କାରଣ ରହିଅଛି । ପଲସଦା ଠାରେ ସମବାୟ କେନ୍ଦ୍ର ଅଛି, ଯାହାଦ୍ୱାରା ସମସ୍ତେ ସେଠାକୁ ଯିବା ପାଇଁ ଅନିବାର୍ୟ୍ୟ ହୋଇପଡୁଛି । ସିଧାସିଧା ଗଲେ ଟେମରୀ ରୁ ପଲସଦା ଗ୍ରାମକୁ ପଡେ ୭ କିଲୋମିଟର । କିନ୍ତୁ ବର୍ଷା ହେଲେ ଏହି ସାମୟିକ ରାସ୍ତାରେ ଯାତାୟାତ ସମ୍ଭବପର ହୁଏନାହିଁ । ଅପରପକ୍ଷରେ ବୁଲିକି ଗଲେ ପ୍ରାୟ ୨୫ କିଲୋମିଟର ରାସ୍ତା ପଡିଥାଏ, ଯାହାକି ତୁଳନା କଲେ ବହୁତ ବେଶୀ । ଗରିବ ନିରୀହ ଲୋକେ ବୁଲିକି ଯିବା ପାଇଁ ହଇରାଣ ହେବା ସହ ଅଧିକ ଖର୍ଚ୍ଚାନ୍ତ ହୋଇଥାନ୍ତି । ଯାତାୟାତ ଅସୁବିଧା ଯୋଗୁଁ ଏହି ରାସ୍ତାରେ ବର୍ଷା ମାସରେ ଆସି ହେଉନଥିବାରୁ ଗର୍ଭବତୀ ମହିଳାଙ୍କୁ ତଥା ରୋଗୀଙ୍କୁ ନେବା ଆଣିବା ସକାଶେ ଅହେତୁକ ବିଳମ୍ବ ହୋଇଥାଏ । ଏହି ରାସ୍ତାରେ ନିର୍ଭରଶୀଳ ଥିବା ତିନୋଟି ପଂଚାୟତର ଲୋକେ ବିଭିନ୍ନ ସମୟରେ ବିଭିନ୍ନ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନଠାରେ ନେହୁରା ହୋଇଛନ୍ତି କିନ୍ତୁ କୌଣସି ସଫଳତା ମିଳିନାହିଁ । ବର୍ତମାନ ଏହି ସମସ୍ୟାର ସମାଧାନ ନିମନ୍ତେ ଟେମରୀ ଗ୍ରାମର ସାମାଜିକ କର୍ମୀ ଦୀପା ବାରିକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମାଜିକ ଗଣମାଧ୍ୟମ ଅଭିଯୋଗ ପ୍ରକୋଷ୍ଠରେ ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରି କହିଛନ୍ତି । ନବୀନ ବାବୁ ଚାହିଁଲେ ଅସମ୍ଭବ ବି ସମ୍ଭବ ହୋଇପାରିବ ବୋଲି ଉକ୍ତ ସମାଜସେବିକା ଆମର ପ୍ରତିନିଧିଙ୍କୁ ଜଣେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ ମୁଖ୍ୟମନ୍ତ୍ରୀ ଉକ୍ତ ଯୁବତୀଙ୍କ କଥାକୁ କେତେ ଗୁରୁତ୍ୱ ଦେଉଛନ୍ତି । ଆଉ ପ୍ରକୃତରେ ଲୋକଙ୍କ ହିତରେ ଯଦି ରାସ୍ତା ନିର୍ମାଣ କରାଯାଏ ଲୋକେ ନିଶ୍ଚିତ ଭାବେ ଉପକୃତ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିରଦିନ ପାଇଁ ମନେ ରଖିବେ ବୋଲି ଟେମରୀ ତଥା ଆଖପାଖର ଲୋକମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.