ଜରାସିଂହା ପାଟଖଣ୍ଡା ଯାତ୍ରା : ପହଞ୍ଚିଲା ପାଟ ସିନ୍ଦୁର, ଆଜି ଦେଝାରରୁ ବାହାରିବେ ଦେବୀ, କୋଭିଡ କଟକଣାରେ ହେବ ଯାତ୍ରା : ଲୋକାରଣ୍ୟ ରୋକି ହେବ ତ ?

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାରେ ହେଉଥିବା ବହୁ ପ୍ରତୀକ୍ଷିତ ପାଟଖଣ୍ଡା ଯାତ୍ରା ପାଇଁ ପାଟସିନ୍ଦୁର ରବିବାର ଅପରାହ୍ନରେ ମନ୍ଦିର ଭିତରକୁ ପହଞ୍ଚିଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଯାତ୍ରାର ରୀତିନୀତି ଅନୁଷ୍ଠିତ ହେଉଥିବାରୁ ଅନୁମତି ପାଇଥିବା ସେବକମାନେ ଗାଁ ମୁଣ୍ଡକୁ ଯାଇ ପାଟସିନ୍ଦୁରକୁ ବରଣ କରିଥିଲେ ପାଟଣାଗଡ଼ରୁ ଚାଲି ଚାଲି ଆସିଥିବା ସେବକଙ୍କ ଠାରୁ । ଏହି ପାଟସିନ୍ଦୁର ବରଣ ପ୍ରତି ବର୍ଷ ଲୋକଙ୍କ ଗହଳିରେ ଫାଟି ପଡୁଥିଲା କିନ୍ତୁ ଚଳିତ ବର୍ଷ କଟକଣା ନିୟମ ଯୋଗୁଁ ପଟଖଣ୍ଡା ଦେବୀଙ୍କ ସେବକ ଦୁର୍ଗା ପ୍ରସାଦ ସିଂଦେଓ ଓ ବରୁଆ ସନ୍ତୋଷ ଥନାପତି ପାଟ ସିନ୍ଦୁରକୁ ବରଣ କରି ମନ୍ଦିର ଭିତରକୁ ଆଣିଥିଲେ । ପରମ୍ପରା ଅନୁଯାୟୀ ପାଟଣାଗଡ଼ ପାଟଣେଶ୍ବରୀ ମନ୍ଦିରରୁ ପାଟ ଓ ସିଦୂରକୁ ପାଟଖଣ୍ଡାଙ୍କ ସେବକ ଲିଟି ପଥିରିମାଳୀ ଓ ଏକାଦଶିଆ ନାଏକ ପାଟ ସିନ୍ଦୁରକୁ ପାଟଣାଗଡ଼ ଠାରୁ ଚାଲି ଚାଲି ଆଣିଥାନ୍ତି। ଏହି ପାଟ ସିନ୍ଦୁର ଜରାସିଂହାକୁ ପହଞ୍ଚିଲା ପରେ ମନ୍ଦିର ଭିତରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ବିଜୟା ଦଶମୀ ଦିନରୁ ଆରମ୍ଭ ହୋଇ ପୂର୍ଣ୍ଣିମା ଏହା ଶେଷ ହେଉଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ବିନା ଭକ୍ତରେ ଯାତ୍ରା ଅନୁଷ୍ଠିତ ହେବ କେବଳ ବିଧି ରକ୍ଷା ପାଇଁ । ଯାହାଫଳରେ ଆଜି ସକାଳରେ ଗୁଡ଼ଭେଳା ବ୍ଲକ ନଅଗାଁ ଠାରେ ଥିବା ଦେଝାର ଜଙ୍ଗଲରେ ବରୁଆ ଦେହରେ ପାଟଖଣ୍ଡା ଦେବୀ ଆବିର୍ଭାବ ହୋଇ ଜରାସିଂହା ଅଞ୍ଚଳକୁ ଆସିବେ । ହେଲେ ଏ ବର୍ଷ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ପାଚେରୀ ହୋଇ ଛିଡା ହୋଇଥିବାରୁ ବଳି ପ୍ରଥାକୁ ବି ବାରଣ କରାଯାଇଛି । ଯାହାକି ମାନସିକଧାରୀ ଭକ୍ତ ମନରେ ଆଘାତ ଦେଇଛି । ଅନ୍ୟପକ୍ଷରେ ପାଟଖଣ୍ଡା ଯାତ୍ରା ଆରମ୍ଭ ହେବା ଦିନରୁ ଶେଷ ହେବା ପର୍ୟ୍ୟନ୍ତ ହଜାର ହଜାର ଲୋକଙ୍କୁ ନେଇ ଲୋକାରଣ୍ୟ ହେଉଥିବା ଯାତ୍ରା ପଡିଆକୁ ପୁଲିସ ପ୍ରଶାସନ କିପରି ଭାବେ ନିୟନ୍ତ୍ରଣ କରି ବିନା ଭକ୍ତରେ ଯାତ୍ରା କରିବ ତାକୁ ନେଇ ଚିନ୍ତାରେ ରହୁଛି । ଏଣୁ ପରମ୍ପରା ଅନୁଯାୟୀ ବିନା ଭକ୍ତରେ ଯାତ୍ରା ହେଉଥିବାରୁ ଏହି ଯାତ୍ରାକୁ ଆସୁଥିବା ଲୋକଙ୍କ ଉପରେ କଡ଼ାକଡ଼ି ଭାବେ କୋଭିଡ ନିୟମ ଲାଗୁ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.