
ବଲାଙ୍ଗିର (କେପିଏନ୍ଏସ୍) : ଜାତୀୟସ୍ତରୀୟ ଲନ୍ ବଲ୍ସ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଖେଳାଳିଙ୍କୁ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ଦ୍ଵାରା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟସ୍ତରରେ ବଲାଙ୍ଗିର ଖେଳାଳିଙ୍କ ଏହି ସଫଳତା ଜିଲ୍ଲାର କ୍ରୀଡ଼ା ଇତିହାସରେ ଏକ ଗର୍ବର ଅଧ୍ୟାୟ ଯୋଡ଼ିଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ପ୍ରକାଶ ଯୋଗ୍ୟ, ବଲାଙ୍ଗିର ଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ଲନ୍ ବଲ୍ସ ପ୍ରତିଯୋଗିତାରେ ଓଡ଼ିଶାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ୧ମ ଅଣ୍ଡର-୧୮ ଓ ୬ଷ୍ଠ ଅଣ୍ଡର-୨୫ ଜାତୀୟ ଲନ୍ ବଲ୍ସ ଚାମ୍ପିୟନସିପ୍ ୨୦୨୬-୨୭ରେ ଓଡ଼ିଶା ଦଳ ମୋଟ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ଗୌରବମୟ ସଫଳତା ଅର୍ଜନ କରିଛି । ଏହି ସଫଳତାରେ ବଲାଙ୍ଗିର ଜିଲ୍ଲାର ଖେଳାଳିମାନଙ୍କ ଅବଦାନ ବେଶ୍ ଉଲ୍ଲେଖନୀୟ । ବଲାଙ୍ଗିରର ଖେଳାଳିମାନେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ଜିଲ୍ଲାକୁ ଗର୍ବିତ କରିଛନ୍ତି । ଲନ୍ ବଲ୍ସ ପ୍ରତିଯୋଗିତାର ଅଣ୍ଡର-୧୮ ବାଳିକା ବର୍ଗରେ ରୋଶନୀ ସାହୁ ସ୍ୱର୍ଣ୍ଣ ପଦକ ଏବଂ ବାଳକ ବର୍ଗରେ ସୁଜ୍ଞାନେନ୍ଦ୍ର ଷଡ଼ଙ୍ଗୀ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ଭାବେ ଅଣ୍ଡର-୨୫ ବାଳିକା ବର୍ଗରେ ରାଜେଶ୍ୱରୀ ସେଠ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅଣ୍ଡର-୨୫ ମିକ୍ସ ପେୟାର୍ସ ବର୍ଗରେ ପଦ୍ମାସିନୀ ପୁଟେଲ ଓ ସିଦ୍ଧାର୍ଥ ଆର୍ଯ୍ୟନ ସାହୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହିପରି ବଲାଙ୍ଗିରର ଯୁବ ଖେଳାଳିମାନେ ଜାତୀୟ ମଞ୍ଚରେ ନିଜର ପ୍ରତିଭା, ଦକ୍ଷତା ଓ ପରିଶ୍ରମର ପରିଚୟ ଦେଇ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ଏହି ସଫଳତା ପଛରେ କୋଚ୍ କୈଳାଶ ମାଝୀ ଓ ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ନିରନ୍ତର ପ୍ରଶିକ୍ଷଣ, ପରିଶ୍ରମ ଓ ମାର୍ଗଦର୍ଶନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବାରୁ ସେମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, କ୍ରୀଡ଼ା ଛାତ୍ରାବାସ ଅଧିକ୍ଷକ ପରାସର ବାଗ ଏବଂ ରାଜ୍ୟ ଲନ୍ ବଲ୍ସ ସଂଘ, ଓଡ଼ିଶାର ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଉପସ୍ଥିତ ରହି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଖେଳାଳି ଓ ପ୍ରଶିକ୍ଷକମାନଙ୍କୁ ମିଳିଥିବା ଏହି ସମ୍ମାନ ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଯୁବ ଖେଳାଳିମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂତନ ପ୍ରେରଣା ଯୋଗାଇବ ।