
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ସହାୟତା ଏବଂ ନାରୀ ମଙ୍ଗଳ ମହିଳା ସମିତିର ମିଳିତ ଆନୁକୂଲ୍ୟରେ କଲ୍ୟାଣପୁର ବଜାର ଠାରେ ଶିଶୁ ଶ୍ରମମୁକ୍ତ ସଚେତନତା ଅଭିଯାନ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଲୋଗାନ୍ ଏବଂ ପ୍ରଚାରପତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ କଲ୍ୟାଣପୁର ବଜାରରେ ଓଡ଼ିଶା ସରକାରଙ୍କ ସ୍ୱୀକୃତିପ୍ରାପ୍ତ କଳାକାରଙ୍କ ଦ୍ଵାରା ଦାସକାଠିଆ ପ୍ରଦର୍ଶନ ମଧ୍ୟମରେ ଶିଶୁ ଶ୍ରମମୁକ୍ତି ଆବଶ୍ୟକତା ଓ ନିଷେଧ ଅଧୁନିୟମ ସମ୍ପର୍କରେ ସୁନ୍ଦର କଳାତ୍ମକ ସଚେତନତ ବାର୍ତ୍ତା ପ୍ରଦାନ କରାଯାଇଥିଲା । ଅପରାହ୍ନରେ କଣାସରେ ଅନୁରୂପ ଅଭିଯାନ ଘୋଡାନାଚ ଓ ଦାସକାଠିଆ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ଶ୍ରମିକ ଭାବେ କାମରେ ନିୟୋଜିତ କରୁଥିବା ବ୍ୟକ୍ତିମାନଙ୍କୁ ସାବଧାନ କରାଯାଇଛି । ଏହା ମାଧ୍ୟମରେ ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ । ୧୫ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାମରେ ନିୟୋଜନକୁ ବାରଣ କରାଯାଇଛି । ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡିବ । କେବଳ ଜୋରିମାନା ନୁହେଁ, ବରଂ ଶିଶୁଙ୍କୁ କୌଣସି କାର୍ଯ୍ୟରେ ଓ କିଶୋରଙ୍କୁ (ବୃଦ୍ଧି ପ୍ରକ୍ରିୟା) ନିୟୋଜନ କରୁଥିଲେ, ୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି । ଏପରିକି ଉଭୟ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ । ଏପରି ଭୁଲ ଦ୍ୱିତୀୟଥର ହେଲେ ୩ ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହୋଇପାରିବ । ୧୪ ବର୍ଷରୁ କମ୍ ଶିଶୁଙ୍କୁ କୌଣସି କାର୍ଯ୍ୟରେ ନିୟୋଜନ କରିବା ଏବଂ ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜନ କରିବା ଏକ ଧର୍ତବ୍ୟ ଅପରାଧ ଅଟେ । ଆପଣ ଜାଣିବାରେ ଯଦି କୌଣସି ବ୍ୟକ୍ତି ୧୪ବର୍ଷରୁ କମ୍ ବୟସର ପିଲାଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜନ କରିଛନ୍ତି ତେବେ ଅବିଳମ୍ବେ ନିଜ ଜିଲ୍ଲାର ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରାନ୍ତୁ । ଏତଦ୍ବ୍ୟତୀତ, ନିଶୁଳ୍କ ଶ୍ରମିକ ସହାୟତା ହେଲପଲାଇନ ନଂ ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ୍ ନଂ. ୧୦୯୮କୁ ଯୋଗାଯୋଗ କରନ୍ତୁ । ଏହି କାର୍ଯ୍ୟକ୍ରମକୁ ନାରୀ ମଙ୍ଗଳ ମହିଳା ସମିତି ସମ୍ପାଦିକ ସସ୍ମିତା ପଣ୍ଡା, ଉପଦେଷ୍ଟା ପ୍ରକାଶ ରାଉତରାୟ ସୂଚାରୁ ରୂପେ ପରିଚାଳନା କରିଥିଲେ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।