ଶ୍ରୀ ମନ୍ଦିର ସମେତ ପ୍ରମୁଖ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟଗୁଡ଼ିକୁ ମେ’ ୧୫ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ କେନ୍ଦ୍ରୀୟ ସଂରକ୍ଷଣରେ ଥିବା ତଥା ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଅଧୀନରେ ଆସୁଥିବା ସମସ୍ତ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟ ଗୁଡ଼ିକୁ ମେ’ ୧୫ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏଏସ୍‌ଆଇ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଗୁରୁବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଏଏସ୍‌ଆଇ ଅଧୀନରେ ରହିଥିବା ୩,୬୯୩ ଐତିହ୍ୟ ସ୍ଥଳ ଏବଂ ୫୦ ସଂଗ୍ରହାଳୟ ଅନ୍ୟାଦେଶ ପର୍ୟ୍ୟନ୍ତ ବନ୍ଦ ରହିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ କୁହାଯାଇଛି । ପୁରୀ ଶ୍ରୀମନ୍ଦିର ଏବଂ ସୋମନାଥ ମନ୍ଦିର ଭଳି ଧର୍ମୀୟ ପୀଠରେ ଦୈନନ୍ଦିନ ପୂଜା ରୀତିନୀତି ଯଥାବିଧି ଜାରି ରହିବ । କିନ୍ତୁ ଭକ୍ତ ସମାଗମକୁ ଅନୁମତି ମିଳିବ ନାହିଁ ବୋଲି ସଂସ୍କୃତି ମନ୍ତ୍ରଣାଳୟର ଗଣମାଧ୍ୟମ ଉପଦେଷ୍ଟା ନୀତିନ ତ୍ରିପାଠୀ କହିଛନ୍ତି ।
ପ୍ରକାଶ ଯେ, କରୋନା ମହାମାରୀ ଯୋଗୁ ଗତବର୍ଷ ମାର୍ଚ୍ଚ ୧୭ରୁ ଏଏସ୍‌ଆଇ ଅଧୀନ ସମସ୍ତ ଐତିହ୍ୟ ସ୍ଥଳକୁ ବନ୍ଦ କରିଦିଆଯାଇଥିଲା । ଜୁଲାଇରେ କୋଭିଡ୍‌ କଟକଣା ମଧ୍ୟରେ ସେଗୁଡ଼ିକ ପୁନର୍ବାର ଭକ୍ତ ଓ ପର୍ୟ୍ୟଟକମାନଙ୍କ ପାଇଁ ଖୋଲିଥିଲା । ମାସ୍କ ପରିଧାନ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯିବା ସହ ପର୍ୟ୍ୟଟକଙ୍କ ସଂଖ୍ୟାକୁ ସୀମିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏହି କଟକଣାକୁ କୋହଳ କରିଦିଆଯାଇଥିଲା । ତେବେ ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ିଚାଲିଥିବାରୁ ପୁଣି ଥରେ ସମସ୍ତ ଐତିହ୍ୟ ସ୍ଥଳକୁ ବନ୍ଦ ରଖିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.