jayashree

ତୃତୀୟ ଜାତୀୟ କ୍ଲାସିକାଲ ଡ୍ୟାନ୍ସ ଫେଷ୍ଟିଭାଲ କଳା ସଂସ୍କୃତି ବିକାଶ ପାଇଁ ସାମୁହିକ ଉଦ୍ୟମ ଦରକାର – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳରେ କଳା ଓ ସଂସ୍କୃତି ଭରପୁର ଅଛି । ଆମର ଭାଷା ସିନେମା ଭ୍ରୁକା, ଶଳାବୁଢା, ଆଦିମ ବିଚାର ବିଶ୍ୱରେ ବହୁତ ପ୍ରଶଂସା ପାଇଛି । ରଙ୍ଗବତୀ ଗୀତ ସାରା ବିଶ୍ୱରେ ପହଞ୍ଚି ଆମ ଭାଷା ସଂସ୍କୃତି ଓ ସଂଗୀତକୁ ଆହୁରି ରୁଦ୍ଧିମନ୍ତ କରିଛି । କେବଳ ଏତିକିରେ ଆମେ ସନ୍ତୁଷ୍ଟ ହୋଇଗଲେ ଚଳିବ ନାହିଁ । ଆଗକୁ ବଢିବାକୁ ହେଲେ ଆମ ଭିତରେ ଏକତା ଦରକାର । କଳା ସଂସ୍କୃତି, ସଂଗୀତ, ନାଚ ଏ ସବୁର ବିକାଶ ପାଇଁ ଆମକୁ ଜାତି, ବର୍ଣ୍ଣ, ରାଜନୀତିକୁ ପଛରେ ପକାଇ ଏହାର ବିକାଶ ପାଇଁ ଉଦ୍ୟମ କରିବାକୁ ପଡିବ । ସାମୁହିକ ଉଦ୍ୟମ ହେଲେ ହିଁ ଆମର କଳା ସଂସ୍କୃତି ଶିଖରରେ ପହଞ୍ଚିବ ବୋଲି ସ୍ଥାନୀୟ ଯୁଧିଷ୍ଟିର ଆଇନ ମହାବିଦ୍ୟାଳୟର ମଞ୍ଚରେ କଳାଭାରତୀ ଏକାଡେମୀ ଦ୍ୱାରା ଆୟୋଜିତ ତୃତୀୟ ଭାରତୀୟ କ୍ଲାସିକାଲ ଡ୍ୟାନ୍ସ ଫେଷ୍ଟିଭାଲ ୨୦୨୬ ‘ରିଦମ ଫେଷ୍ଟ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । କଳାଭାରତୀର ଏକାଡେମୀ ସଭାପତି ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ ୯୦୦ ବର୍ଷ ପୂର୍ବେ ଆମ ଅଂଚଳ ଶିକ୍ଷା, ସଂସ୍କୃତି କଳାରେ ବହୁତ ଆଗରେ ଥିଲା । ଗନ୍ଧମାର୍ଦ୍ଧନ ଏବଂ ରାଣୀପୁର ଝରିଆଲରେ ଦୁଇଟି ବିଶ୍ୱ ବିଦ୍ୟାଳୟ ଥିଲା କିନ୍ତୁ ରାଜତନ୍ତ୍ର ଆସିବା ଦିନରୁ ଆମେ ଓ ଆମ ଲୋକଙ୍କ ବିକାଶ ବିଶେଷ କରି ଶିକ୍ଷା, ସଂସ୍କୃତି ଓ କଳାରେ ପୁଣି ପଛେଇ ଗଲେ । ତେଣୁ ଆମେ ଜାଣିବା ଦରକାର ଯେ, ଗଣତନ୍ତ୍ର ହିଁ ଅଞ୍ଚଳର ସାମଗ୍ରିକ ବିକାଶ କରିଥାଏ । ଏ ଅବସରରେ ବିଭିନ୍ନ ଶିଳ୍ପୀମାନେ ବିଭିନ୍ନ ପ୍ରକାର ଶାସ୍ତ୍ରୀୟ ଓ ନୃତ୍ୟ ପରିବେଷଣ କରିଥିଲେ । ଏ ଅବସରରେ ସମ୍ମାନିତ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ବଲାଙ୍ଗିରର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, ଯୁଧିଷ୍ଟିର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜିବ କୁମାର ପ୍ରଧାନ, ସଂପାଦକ ପ୍ରଦୀପ କୁମାର ବରାଡ ପ୍ରମୁଖ ମଞ୍ଚାସିନ ଥିଲେ । ଶେଷରେ ଶାସ୍ତ୍ରୀୟ ଶିଳ୍ପୀମାନଙ୍କୁ ତାଙ୍କର କଳାକ୍ଷେତ୍ରରେ ପରଦର୍ଶିତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.