
ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ କାର୍ଯ୍ୟାଳୟରେ ୯ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଗିରଫଙ୍କ ମଧ୍ୟରେ ଜଣେ ଟ୍ରେଜେରି କର୍ମଚାରୀ, ଜଣେ ବରିଷ୍ଠ ସହାୟକ ଏବଂ ଜଣେ ପିଅନ ରହିଛନ୍ତି । ସେମାନେ ହେଲେ ଭୁବନେଶ୍ୱରର ଜିଲ୍ଲା ଟ୍ରେଜେରିର ବରିଷ୍ଠ ହିସାବ ରକ୍ଷକ କୃଷ୍ଣଚନ୍ଦ୍ର ବେହେରା, ପୁରୀ ଆର୍ଆଣ୍ଡ୍ବି ଡିଭିଜନ୍ର ବରିଷ୍ଠ ସହାୟକ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ର ପିଅନ କୁମୁଦ ସାହୁ । ଗିରଫ ପରେ ସମସ୍ତଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି । ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ଜାଲ୍ ବିଲ୍ ପାସ୍ କରାଇବା ପାଇଁ କୃଷ୍ଣଚନ୍ଦ୍ର ବେହେରାଙ୍କୁ ଫୋନ୍ପେ ଜରିଆରେ ୧୧ଟି କିସ୍ତିରେ ମୋଟ ୩ ଲକ୍ଷ ୯୦ ହଜାର ଟଙ୍କା ଦିଆଯାଇଥିଲା । ଏହି ଟଙ୍କା ମୁଖ୍ୟ ଅଭିଯୁକ୍ତ ବିଭୁଦତ୍ତ ନାୟକ ପଠାଇଥିବା ଅଭିଯୋଗ ହୋଇଛି । ସେହିପରି, ବିଶ୍ୱନାଥ ଦାସଙ୍କ ନିଜ ବ୍ୟାଙ୍କ ଖାତା ସହ ତାଙ୍କ ମାଆ ଓ ଜଣେ ସମ୍ପର୍କୀୟଙ୍କ ଖାତାରେ ମଧ୍ୟ ସରକାରୀ ଅର୍ଥ ଜମା ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ଏହି ତିନିଟି ଖାତାରେ ମୋଟ ପ୍ରାୟ ୧ କୋଟି ୨ ଲକ୍ଷ ଟଙ୍କା ଜମା ହୋଇଥିବା ଅଭିଯୋଗ ରହିଛି । ଏହାର କିଛି ଅଂଶ ଅନ୍ୟ ଅଭିଯୁକ୍ତଙ୍କ ଖାତାକୁ ପଠାଯାଇଥିବା ବେଳେ ବାକି ଟଙ୍କା ନଗଦ ଉଠାଯାଇଥିବା କୁହାଯାଇଛି । ଅନ୍ୟପଟେ, ପିଅନ କୁମୁଦ ସାହୁଙ୍କ ପତ୍ନୀଙ୍କ ବ୍ୟାଙ୍କ ଖାତାରେ ଅସ୍ଥାୟୀ ଗ୍ରାଚ୍ୟୁଇଟି ବାବଦରେ ୧୧ ଲକ୍ଷ ୨୫ ହଜାର ୧୨୦ ଟଙ୍କା ଜମା ହୋଇଥିଲା । ପରେ ଏହି ଟଙ୍କାକୁ ନିଜ ଖାତାକୁ ସ୍ଥାନାନ୍ତର କରି ତିନିଟି କିସ୍ତିରେ ନଗଦ ଉଠାଯାଇଥିବା ଭିଜିଲାନ୍ସ ଅଭିଯୋଗ କରିଛି । ଏହି ମାମଲାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ବନଲତା ମହାନ୍ତି ଓ ବିଭୁଦତ୍ତ ନାୟକଙ୍କ ସମେତ ୬ ଜଣ ଗିରଫ ହୋଇଥିଲେ । ମୋଟ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କାର ଏହି ଆର୍ଥିକ ଜାଲିଆତି ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ଭିଜିଲାନ୍ସର ତଦନ୍ତ ଜାରି ରହିଛି ।