
- ପଶ୍ଚିମଦ୍ୱାରରେ ୱେବ୍ ସାମ୍ବାଦିକ ଆଦିତ୍ୟ ମହାରଣା ଆହତ, ସିଂହଦ୍ୱାର ଥାନାରେ ଅଭିଯୋଗ
ପୁରୀ : ଶ୍ରୀମନ୍ଦିରରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ‘ସମୟ ଲାଇଭ୍’ର ୱେବ୍ ସାମ୍ବାଦିକ ଆଦିତ୍ୟ ମହାରଣାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଥିବା ବେଳେ ଆହତ ସାମ୍ବାଦିକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଆଦିତ୍ୟ ଶ୍ରୀମନ୍ଦିର ନିକଟରେ ଭିଡିଓ ଉତ୍ତୋଳନ କରୁଥିଲେ । ଏହି ସମୟରେ ପଶ୍ଚିମଦ୍ୱାର ନିକଟରେ କେତେକ ସେବାୟତ ଭକ୍ତଙ୍କଠାରୁ ଟଙ୍କା ନେଇ ମନ୍ଦିର ଭିତରକୁ ପ୍ରବେଶ କରାଉଥିବା ଦୃଶ୍ୟ ସେ କ୍ୟାମେରାରେ ରେକର୍ଡ କରିଥିବା କୁହାଯାଉଛି । ଏହାକୁ ନେଇ ଆଦିତ୍ୟ ଓ କେତେକ ସେବାୟତଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ କିଛି ସେବାୟତ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ଆଦିତ୍ୟ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ କ୍ୟାମେରାମ୍ୟାନ ସନାତନ ଭୋଇଙ୍କୁ ମାଡ଼ ମରାଯାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା । ଏବେ ପୁଣି ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗ ସାମ୍ନାକୁ ଆସିବା ପରେ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି । ଶ୍ରୀମନ୍ଦିର ଭଳି ଏକ ପବିତ୍ର ଓ ସମ୍ବେଦନଶୀଳ ସ୍ଥାନରେ ସାମ୍ବାଦିକମାନେ ନିର୍ଭୟରେ ସମ୍ବାଦ ସଂଗ୍ରହ କରିପାରିବେ କି ନାହିଁ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଘଟଣାର ନିରପେକ୍ଷ ତଦନ୍ତ, ସାମ୍ବାଦିକଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ଅଭିଯୋଗରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଦାବି ହୋଇଛି । ଏଥିସହ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଠୋସ୍ ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ସାମ୍ବାଦିକ ମହଲରେ ଦାବି ଉଠିଛି ।