pakka

‘ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଓ ଅପରାଧକୁ କମାଇବା ଦିଗରେ ମହିଳା ଥାନାର ଭୂମିକା ବେଶ୍‌ ମହତ୍ତ୍ୱପୂର୍ଣ୍ଣ’ : ବାସନ୍ତୀ ହେମ୍ବ୍ରମ୍‌

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଓ ଅପରାଧକୁ କମାଇବା ଦିଗରେ ମହିଳା ଥାନାର ଭୂମିକା ବେଶ୍‌ ମହତ୍ତ୍ୱପୂର୍ଣ୍ଣ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ ମତବ୍ୟକ୍ତ କରିଛନ୍ତି । ଜାତୀୟ ମହିଳା କମିଶନ ସହଯୋଗରେ ଓଡିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା ଆୟୋଜିତ ‘ମହିଳା ଥାନା କାର୍ଯ୍ୟକାରିତା : ଦକ୍ଷତା ଓ ପ୍ରଭାବ’ ଶୀର୍ଷକ ଆଲୋଚନାଚକ୍ରରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ କହିଲେ ଯେ, ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ଅପରାଧକୁ କମାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୫ ମସିହାରେ ରାଜ୍ୟର ଥାନାଗୁଡିକରେ ମହିଳା ଓ ଶିଶୁ ଡେସ୍କ ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ଟି ଥାନାରେ ଏହା ସ୍ଥାପନ କରାଯାଇଥିଲା । ୨୦୧୩ ମସିହାରେ ରାଜ୍ୟର ୫୩୭ଟି ପୋଲିସ ଥାନାରେ ମହିଳା ଓ ଶିଶୁ ଡେସ୍କ ସୃଷ୍ଟି କରାଯାଇଥିଲା । ସମ୍ପ୍ରତି ରାଜ୍ୟର ୬୦୮ଟି ପୋଲିସ ଥାନାରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟ କରୁଛି । ରାଜ୍ୟର ୬ଟି ସ୍ଥାନ ମହିଳା ଥାନା ପ୍ରତିଷ୍ଠା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ସହରରେ, କଟକ ଜିଲ୍ଲା ଅନ୍ତର୍ଗତ କଟକ ସହରରେ, ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ସହରରେ, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର ସହରରେ, ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରାଉରକେଲାରେ ଓ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁରଠାରେ ମହିଳା ଥାନା କାର୍ଯ୍ୟ କରୁଛି । ରାଜ୍ୟର ପ୍ରତ୍ୟେକ ପୋଲିସ ଜିଲ୍ଲାରେ ମହିଳା ଓ ଶିଶୁ ପ୍ରକୋଷ୍ଠ ଖୋଲାଯାଇ ମହିଳା ଓ ଶିଶୁ ସମ୍ବନ୍ଧୀୟ ଅପରାଧକୁ ଯଥା ସମ୍ଭବ ପ୍ରଶମିତ କରିବା ପାଇଁ ନିଷ୍ଠାପର ଉଦ୍ୟମ ଜାରି ରହିଛି । ମହିଳାମାନେ ନିର୍ଭୟରେ ଓ ଅନାୟାସରେ ସେମାନଙ୍କ ଉପରେ ହେଉଥିବା ଅପରାଧ ସମ୍ପର୍କରେ ଥାନାରେ ଜଣାଇବା ପୂର୍ବରୁ ସହଜ ହେଉନଥିଲା । ମହିଳା ଥାନା ପ୍ରତିଷ୍ଠା ପରେ ମହିଳାମାନେ ଏଫ୍‌ଆଇଆର୍‌ ଦାଖଲ କରିବା, ମହିଳା ପୋଲିସଙ୍କୁ ଅପରାଧ ସମ୍ବନ୍ଧୀୟ ଅନୁସନ୍ଧାନରେ ଅକୁଣ୍ଠରେ ସହଯୋଗ କରିବା, ପ୍ରମାଣ ସଂଗ୍ରହରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଆଦି କାର୍ଯ୍ୟ ମହିଳାମାନଙ୍କ ପାଇଁ ବେଶ ସୁଗମ ହୋଇପାରିଛି । ମହିଳା ଓ ଶିଶୁ ଅପରାଧ ମଧ୍ୟ କମି ପାରିଛି । ଯୌତୁକ ନିର୍ଯ୍ୟାତନା, ମହିଳା ଓ ଶିଶୁ ଅପହରଣ, ଯୌତୁକଜନିତ ଅପମୃତ୍ୟୁ ବା ଆତ୍ମହତ୍ୟା, ମହିଳା ଓ କିଶୋରୀମାନଙ୍କୁ ଏସିଡ୍‌ ମାଡ, ସେମାନଙ୍କୁ ଅଶ୍ଲିଳ ଇଙ୍ଗିତ ପ୍ରଦର୍ଶନ, ସର୍ବସାଧାରଣରେ ମହିଳା ମାନଙ୍କୁ ନିର୍ବସ୍ତ୍ର କରିବା ଆଦି ଜଘନ୍ୟ ଅପରାଧ ବିରୁଦ୍ଧରେ ମହିଳା ଥାନା ଦୃଢ ପଦକ୍ଷେପ ନେଇ ସର୍ବସାଧାରଣରେ ବେଶ୍‌ ଆଦୃତ ହୋଇପାରିଛି । ମହିଳା ଥାନାର ଦକ୍ଷତା ଓ ପ୍ରଭାବ ଆଜି ରାଜ୍ୟରେ ପରିବ୍ୟାପ୍ତ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ପ୍ରକାଶ କରିଥିଲେ । ଓଡିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ.ମିନତୀ ବେହେରା ଆଜିର ଏହି ଆଲୋଚନାଚକ୍ରକୁ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ବର୍ଣ୍ଣନା କରିଥିଲେ । ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଓ ଅପରାଧକୁ କମାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନିର୍ଦ୍ଦେଶ ଓ ପ୍ରେରଣାଦାୟୀ ଦିଗ୍‌ଦର୍ଶନ ମହିଳା ଥାନାଗୁଡିକୁ ଅଧିକ ସଶକ୍ତ କରି ଗଢି ତୋଳିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ) ଶ୍ରୀମତୀ ରେଖା ଲୋହନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ଅପରାଧକୁ ଦୃଢ ଭାବେ ଦମନ କରିବା ଉଦ୍ଦେଶ୍ୟ ନେଇ ସ୍ୱତନ୍ତ୍ର ରୂପେ ମହିଳା ଥାନା ପ୍ରତିଷ୍ଠା ହୋଇଥିଲା । ସଂପ୍ରତି ରାଜ୍ୟର ୬ଟି ମହିଳା ଥାନା ମହିଳା ଓ ଶିଶୁ ଅପରାଧ ବିରୁଦ୍ଧରେ ବେଶ୍‌ ପ୍ରଭାବୀ ଓ ଫଳପ୍ରସୂ ହୋଇପାରିଛି । ରାଜ୍ୟ ମହିଳା ଆୟୋଗର ରେଜିଷ୍ଟ୍ରାର ସୁଶୀଳ କୁମାର ରାୟ ଓ ସଂଯୋଜକ ସଚିବ ଏନ୍‌ସି ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥଲେ ।

jay balangir
Leave A Reply

Your email address will not be published.

twenty − ten =