pakka

ତିନି ଆନ୍ତରାଜ୍ୟ ଲୁଟେରା ଗିରଫ : ଲକ୍ଷାଧିକ ନଗଦ ଟଙ୍କା, ୪୧ଗ୍ରାମ ସୁନା ଓ ୨ ବାଇକ ଜବତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡିକି ଭାଙ୍ଗି ଲୁଟ୍ କରୁଥିବା ଏକ ଗ୍ୟାଙ୍ଗର ମୁଖିଆ ସମେତ ୩ ଜଣିଆ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ବଲାଙ୍ଗିର ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା କଳାଷଣ୍ଢପୁର ଗାଁର ଡି. ରାଜା ଆଲିଏସ୍ ଦାସ ରାଜା, ସୋନପୁର ଜିଲ୍ଲା ସୋନପୁର ଟାଉନଥାନା ଅନ୍ତର୍ଗତ ଝୁପୁଡିପଡାର ଦୟାସାଗର ଛତ୍ରିଆ ଆଲିଏସ୍ ମିନୁ ଏବଂ ସାରଥି ବାଗ ବୋଲି ପୋଲିସ ସୂଚନା ଦେଇଛି । ଏହା ସହ ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୧ଲକ୍ଷ ୯୧ହଜାର ଟଙ୍କା, ପ୍ରାୟ ୪୧ ଗ୍ରାମ ଓଜନର ସୁନା ଗହଣା, ୨ଟି ବାଇକ, ୬ଟି ମୋବାଇଲ, ୧୦ଟି ସିମକାର୍ଡ, ଗୋଟିଏ ଟେବଲେଟ, ଡିକି ଭଙ୍ଗା ଟୁଲସ୍, ଅନେକ ବାଇକ ନମ୍ବର ପ୍ଲେଟ ସହିତ ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି । ଏହି ଲୁଟେରା ଦଳ ଡିକି ଭାଙ୍ଗି ଲୁଟ୍ ସହ ରାସ୍ତାରେ ଯିବାଆସିବା କରୁଥିବା ଲୋକଙ୍କୁ ଡକାୟତି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ବଲାଙ୍ଗିର ଭାରତ ଫାଇନାନ୍ସ ଇନକ୍ଲୁଜନ ଲିମିଟେଡ୍ ନାମକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର ବଳଭଦ୍ର ସାହୁ ନାମକ ଜଣେ କର୍ମଚାରୀଙ୍କୁ ଗତ ଜୁଲାଇ ୧୬ ତାରିଖ ଅପରାହ୍ନରେ ବଲାଙ୍ଗିର ସଦରଥାନା ଅନ୍ତର୍ଗତ ସାରସପିଟା ଗାଁ ନିକଟରେ ୩ ଜଣ ଦୁର୍ବୃତ୍ତ ଲୁଟ୍ କରିଥିଲେ । ଅଭିଯୁକ୍ତମାନେ ଶ୍ରୀ ସାହୁଙ୍କ ପାଖରୁ ୩୮ହଜାର ୩୨୪ ଟଙ୍କା, ଟେବଲେଟ, ଏଟିଏମ କାର୍ଡ ଓ ଆରସି ବହି ଲୁଟି ନେଇଥିବା ବଲାଙ୍ଗିର ସଦର ଥାନାରେ ଅଭିଯୋଗ ହୋଇଥିଲା । ସଦର ପୋଲିସ ଉକ୍ତ ଘଟଣାର ତଦନ୍ତରୁ ଏହି ତିନିଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନଙ୍କ ନାଁରେ ବଲାଙ୍ଗିର ଜିଲ୍ଲାର ସଦର, କଣ୍ଟାବାଞ୍ଜି, ବେଲପଡା, ପାଟଣାଗଡ, ଦେଓଗାଁ, ଲୋଇସିଂହା ଥାନାରେ ମାମଲା ରହିଥିବା ପୋଲିସ କହିଛି । ସେହିପରି ପଡୋଶୀ ସୋନପୁର ଓ ବରଗଡ ଜିଲ୍ଲାର ବିଭିନ୍ନ ଥାନାରେ ମଧ୍ୟ ଏମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବଲାଙ୍ଗିର, ସୋନପୁର ଓ ବରଗଡ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଡିକି ଭାଙ୍ଗି ଲୁଟ, ଡକାୟତି ଆଦି ୨୧ଟି ମାମଲା ରହିଛି । ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ ସଦରଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

five × 2 =