ପୁଲିସ ହାତରେ ଲାଗିଲେ ଲୁଟେରା ଦଳ: ଡକାୟତି ଘଟଣାରେ ଜଡ଼ିତ ଥିବା ୭ଜଣ କୋର୍ଟ ଚାଲାଣ : ୧୧ଟି ବାଇକ, ୭ଟି ମୋବାଇଲ ସହ ୫୩୭୦ ଟଙ୍କା ଜବତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଗତ ଦୁଇ ମାସ ଭିତରେ ବିଭିନ୍ନ ସ୍ଥାନରୁ ହୋଇଥିବା ଚୋରୀ, ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସିଡିପିଓ ଶ୍ରୀମନ୍ତ ବାରିକ । ଡକାୟତି କରିଥିବା ଯୁବକମାନଙ୍କ ନାମରେ ବଲାଙ୍ଗୀର, କଳାହାଣ୍ଡି, ସୋନପୁର ଜିଲ୍ଲାର ବିଭିନ୍ନ ଥାନାର ଅପରାଧିକ ମାମଲା ରୁଜୁ ହୋଇଛି । ଏହି ଡକାୟତି ଉଦ୍ୟମ ବେଳେ ବ୍ୟବହୃତ ଏବଂ ଚୋରି ହେଇଥିବା ୧୧ ଟି ବାଇକ, ୭ଟି ମୋବାଇଲ ସହିତ ୫ ହଜାର ୩୭୦ ଟଙ୍କା ମଧ୍ୟ ଜବତ କରିଛି । ଗତ ଅକ୍ଟୋବର ମାସ ୨୮ ତାରିକ ଦିନ ଭାଲୁକୁନ୍ଦ ନିକଟସ୍ଥ ଏକ ପୋଲ ପାଖରେ ଭାରତ ଫାଇନାନ୍ସ ବୀମା କମ୍ପାନୀର କର୍ମଚାରୀ ଯୁଗେଶ୍ୱର ନନ୍ଦଙ୍କ ଠାରୁ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ନିକଟରୁ ସଂଗ୍ରହ କରିଥିବା ୪୭ ହଜାର ଟଙ୍କା ଏକ କଳା ପଲସର୍ ଗାଡିରେ ୩ଜଣ ଦୁବୃର୍ତ୍ତ ଆସି ଲୁଟି ନେଇ ଯାଇଥିଲେ । ସେହିପରି ବନ୍ଧପଡ଼ା ଫାଣ୍ଡି ଅଧିକାରୀ କମଳ ଲୋଚନ ମାଝୀ ଗତ ବୁଧୁବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଦେଷଣ୍ଡ- ବନ୍ଧପଡ଼ା ରାସ୍ତାରେ ଏକ ନମ୍ବର ବିହୀନ ବାଇକରେ ଆସୁଥିବା ଦେଶଣ୍ଡ ଗାଁର ସନ୍ତୋଷ କଲେତକୁ ସନ୍ଦେହ କରି ପଚରାଉଚରା କରିବା ପରେ ତାହା ଏକ ଚୋରି ବାଇକ ବୋଲି ଜାଣିବାକୁ ପାଇଥିଲେ, ଯାହାକି ଦେଓଗାଁ ଥାନା କେସ ନମ୍ବର ୨୬୩ରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲେ। ଦେଓଗାଁ ଥାନା କେସ ନମ୍ବର ୨୪୬ ଓ ୨୬୩ରେ ଜଡ଼ିତ ଥିବା ଧଣ୍ଡାମାଲ ଗାଁର ଅବିନାଶ ନାଗ(୨୧), ଦେଷଣ୍ଡ ଗାଁର ସନ୍ତୋଷ କଲେତ (୨୬), ସେବକ ନାଏକ (୨୫), ସଇଁତଲା ଥାନା ରେଙ୍ଗାଲୀ ନୁଆଁବସ୍ତିର ରାକେଶ ହରପାଳ(୨୫), ସୁବରାଜ ବାରିକ (୨୬), କେନ୍ଦୁଉଡ଼ାରର ଈଶ୍ୱର ଚନ୍ଦ୍ର ଗୁର୍ଦ୍ଦା(୩୧), ବେଳପଡା ଥାନା ଡୁଙ୍ଗୁରିଗୁଡା ଗାଁର ପ୍ରତାପ ସୁନା( ୨୩)କୁ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଛି । ଏହି ଡକାୟତି ଓ ବାଇକ ଉଦ୍ଧାର କେସ ତଦନ୍ତ ଭାର ବନ୍ଧପଡ଼ା ଫାଣ୍ଡି ଅଧିକାରୀ କମଳ ଲୋଚନ ମାଝୀ ନେଇଛନ୍ତି । ଦେଓଗାଁ ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ତୁଷୁରା ଆଇଆଇସି ଯଶୋବନ୍ତ ପ୍ରଧାନୀ, ଦେଓଗାଁ ଓଆଇସି ରଞ୍ଜନ ବରିହା, ଏସଆଇ ବିଚିତ୍ରା ନନ୍ଦ ପଧାନ ଉପସ୍ଥିତ ଥିଲେ। ଦେଓଗାଁ ଅଞ୍ଚଳରେ ହୋଇଥିବା ବିଭିନ୍ନ ଡକାୟତି ଘଟଣାର ଗୋଟିଏ ପରେ ଗୋଟିଏ ପରଦା ଫାସ ହେବ ବୋଲି ଏସଡିପିଓ ସୂଚନା ଦେଇଥିଲେ ।

Leave A Reply

Your email address will not be published.