csstore

ଗୁଲୁମି ଜଙ୍ଗଲ ନିକଟରେ ଫାଇନାନ୍ସ କର୍ମଚାରୀଙ୍କ ମୋବାଇଲ ଲୁଟ୍‌ ଘଟଣା : ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ ପୋଲିସ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଗଷ୍ଟ ମାସରେ ଦୁଇ ଜଣ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଦୁଇ ମହିଳା କର୍ମଚାରୀ ଟିଟିଲାଗଡରୁ ଗୁଲୁମୀ ଯିବା ସମୟରେ ରାସ୍ତା ଉପରେ ଗଛ ପଡ଼ି ଦେଖି ଅଟକିଥିଲେ, ସେହି ସମୟରେ ଜଣେ ଯୁବକ ତାଙ୍କ ଠାରୁ ମୋବାଇଲ୍ ଲୁଟ କରି ଫେରାର ମାରିଥିଲେ । ଏନେଇ ବବି ଦୁର୍ଗା ଏସ୍‌ଆର୍‌ସି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଥାନା ଅଧିକାରୀ ମନୋଜ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ଗୁଲୁମୀ ଯିବା ରାସ୍ତାରେ ପେଟ୍ରୋଲିଂ କରିବା ସହ ଯେଉଁ ଦିନ ଚୋରି ହୋଇଥିଲା ସେଦିନଠାରୁ ଅନୁସନ୍ଧାନ ଜାରି ରଖିଥିଲେ । ତେବେ ଶେଷରେ ମୋବାଇଲ୍ ଚୋରି କରିଥିବା ଯୁବକଙ୍କୁ ଧରିବାରେ ସଫଳ ହୋଇଛି ଟିଟିଲାଗଡ ପୋଲିସ । ଯୁବକ ଜଣକ ହେଲେ ସିଆଲ ଝୁଡୁଙ୍ଗି ନିକଟ ଭାଟିପଡା ଗ୍ରାମର ଉମାକାନ୍ତ ଭାଟି । ସେ ନିଜେ ଯୋଜନା କରି ଗଛ କାଟି ଜାଣିଶୁଣି ପକାଇ ଥିଲା, ଜଣେ ମହିଳା ଗଛ କାଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଆଉ ଜଣେ ମହିଳାଙ୍କ ଠାରୁ ପ୍ରଥମେ ଅଭିଯୁକ୍ତ ମୋବାଇଲ ମାଗିଥିଲା, ନ ଦେବାରୁ ଫୋନ ଛଡାଇ ଜଙ୍ଗଲ ଭିତରକୁ ଦଉଡ଼ି ଦଉଡ଼ି ପଳାଇଥିଲା । ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇ ଶେଷରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ସବୁ ସ୍ୱିକାର କରିବା ସହ କିପରି ଚୋରି କରିଥିଲା ପୋଲିସ ସାମ୍ନାରେ ତଥ୍ୟ ପ୍ରଦାନ କରିଛି । ଅଭିଯୁକ୍ତଠାରୁ ମୋବାଇଲ ଜବତ କରିବା ସହ ମଙ୍ଗଳବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି ଟିଟିଲାଗଡ ପୋଲିସ । ଏହି ଚୋରକୁ ଧରିବାରେ ପୋଲିସ ଏସ୍‌ଆଇ ନରେନ୍ଦ୍ର ଛତ୍ର ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ । ତେବେ ଟିଟିଲାଗଡ ପୋଲିସ ପକ୍ଷରୁ ବ୍ୟାପକ ଚଢାଉ ଜାରି ରହିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.