ସିନେମା ଷ୍ଟାଇଲରେ କାର୍ ଲୁଟ୍ ଘଟଣାରେ ଦୁଇ ଗିରଫ : ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଫେରାର

ଭଞ୍ଜନଗର : ଭଞ୍ଜନଗର–ଫୁଲବାଣୀ ରାସ୍ତାର ଦଦରାଲୁଣ୍ଡା ନିକଟରେ କାର୍ ଲୁଟ୍ ଘଟଣାରେ ୨ ଗିରଫ । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣ ଏବେ ବି ଫେରାର ଅଛନ୍ତି । ଏହାସହ ଲୁଟ୍ ହୋଇଥିବା କାରକୁ ପୁଲିସ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ଘଟଣା ଅନୁଯାୟୀ, ଗତ ୨୪ତାରିଖ ସକାଳ ୭ଟା ସମୟରେ ଫୁଲବାଣୀରୁ ରାଜେଶ ନିଜ ଇଣ୍ଡିଗୋ ଇସିଏସ୍ କାର୍ ନମ୍ବର (ଓଡି ୦୨ ଟି ୨୫୬୦)ଯୋଗେ ଭୁବନେଶ୍ୱର ଫେରୁଥିଲେ । ଏହି ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ନିକଟରେ ଅନ୍ୟ ଏକ ସ୍ବିଫ୍ଟ ଡିଜାର୍ କାର୍ ନମ୍ବର (ଓଡି ୦୨ ଟି ୦୦୯୮)ରେ ୫ଜଣ ଯୁବକ ଦ୍ରୁତଗତିରେ ଆସି ସିନେମା ଷ୍ଟାଇଲରେ କାର୍ ଆଗରେ ରଖିଥିଲେ । ଫଳରେ ଦୁର୍ଘଟଣା ଆଶଙ୍କାରେ ରାଜେଶ ନିଜ କାରକୁ ଅଟକାଇଥିଲେ । ଆଉ କାରଟି ଅଟକିବା ପରେ ଅନ୍ୟ ଏକ କାରରେ ଆସିଥିବା ଦୁବୃର୍ତ୍ତମାନେ କାରରୁ ଓହ୍ଲାଇ ରାଜେଶଙ୍କ କାର୍ ନିକଟକୁ ଆସିଥିଲେ । ପରେ ସେଠା​‌ରେ ତାଙ୍କୁ କାର୍ ଭିତରୁ ଟାଣି ପଦାକୁ ବାହାର କରିବା ସହ ରାଜେଶ ଧରିଥିବା ଇଣ୍ଡିଗୋ ଇସିଏସ୍ କାରକୁ ଧରି ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହାପରେ ଘଟଣାସ୍ଥଳରୁ ରାଜେଶ ଏକ ଯାତ୍ରୀବାହୀ ବସ୍ ଯୋଗେ ଭଞ୍ଜନଗର ଥାନାରେ ପହଞ୍ଚି ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ କେଶ ନଂ୬୩୦/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ତେବେ ଶୁକ୍ରବାର ପୁଲିସ ଖଣ୍ଡପଡା ରାସ୍ତାର କଳାପଥର ନିକଟରେ ଏହି କାର୍ ଧରି ଆଡ୍ଡା ଜମାଇଥିବା ନେଇ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରିଥିଲା । ପୁଲିସର ଅତର୍କିତ ଚଢ଼ାଉ ଦେଖି ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ୨ଜଣକୁ ଧରିବାରେ ସଫଳ ହୋଇଥିଲା । ପରେ ଉଭୟଙ୍କୁ ଗିରଫ କରି ଶୁକ୍ରବାର ରାତିରେ କୋର୍ଟ ଚାଲାଣ କରିଥିଲା । ଗିରଫ ୨ ଅଭିଯୁକ୍ତ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି . ନୂଆଗାଁର ଗଗନ ରଣା (୨୩) ବର୍ତ୍ତମାନର ଠିକଣା ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ବାରି । ଅନ୍ୟ ଅଭିଯୁକ୍ତ ଜଣଙ୍କ ହେଲେ କଟକ ଜିଲ୍ଲା କୃଷ୍ଣ ପଲ୍ଲୀ ଥାନା ବୈଦ୍ୟେଶ୍ବର ଗାଁର ରିଙ୍କୁ ବିଶ୍ବାଳ (୧୯) । ଏମାନଙ୍କ ନିକଟରୁ ପୁଲିସ ଡକାୟତି ଘଟଣାରେ ବ୍ୟବହୃତ ସ୍ବିଫ୍ଟ ଡିଜାର୍ କାର୍ ସେମେତ ଲୁଟ୍ ହୋଇଥିବା ଇଣ୍ଡିଗୋ ଇସିଏସ୍ କାରକୁ ଜବତ କରିଛି । ଏଥିସହ ଏକ ଓପୋ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ଖୁବଶୀଘ୍ର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସ ସୂଚନା ଦେଇଛନ୍ତି । ବ୍ୟବସାୟିକ ଶତୃତାରୁ ଏଭଳି ଅଭାବନୀୟ ଘଟଣା ଘଟିଥିଲା ବୋଲି ସେ ସୂଚନା ଦେଇଛନ୍ତି । ଏଭଳି ଘଟଣା ଏବେ ଭଞ୍ଜନଗର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

Leave A Reply

Your email address will not be published.