
- ‘ଜୋହୋ ସ୍କିଲ୍ ହବ୍’ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳରେ
ଅଧିକ ଦକ୍ଷ ଓ ସମର୍ଥ କରିବ – ଧର୍ମେନ୍ଦ୍ର ପ୍ରଧାନ - ଜୋହୋର ଅତ୍ୟାଧୁନିକ ଟେକ୍ନୋଲୋଜି ଉପରେ ତାଲିମ ପାଇବେ ଛାତ୍ରଛାତ୍ରୀ
- ଦକ୍ଷ ଛାତ୍ରଛାତ୍ରୀଙ୍କୁ ଜୋହୋର ପାର୍ଟନର ନେଟୱାର୍କ ସହ ଦେଶ-ବିଦେଶରେ ମିଳିବ ନିଯୁକ୍ତି
- ଜୋହୋ ପକ୍ଷରୁ Race2Cloud ପରି ସଂସ୍ଥାଗୁଡ଼ିକ ଓଡ଼ିଶାରେ ନିଜର ବେସ୍ ସ୍ଥାପନ ସମଗ୍ର ଦେଶ ପାଇଁ ମଡେଲ ହେବ
- ପେଟିଏମ ଏବଂ ଭିସୁଟର ମିଳିତ ସହଯୋଗରେ “Wisdom on Wheels”(ଜ୍ଞାନ ବାହନ)ର ଶୁଭାରମ୍ଭ ପ୍ରଂଶସନୀୟ,ଏହି ଅତ୍ୟାଧୁନିକ ବସ୍ ଗାଁର ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ଡିଜିଟାଲ୍ ଏବଂ ଆର୍ଥିକ ସାକ୍ଷରତା ପ୍ରଦାନ କରିବ
- ଭିସୁଟ୍ ସର୍ବଦା ଏକ ପ୍ରାୟୋଗିକ ଶିକ୍ଷା କେନ୍ଦ୍ର ଭାବେ କାର୍ଯ୍ୟଭିତ୍ତିକ ଶିକ୍ଷାକୁ ଗୁରୁତ୍ୱ ଦେଇଆସିଛି
- ସମ୍ବଲପୁରର ଶିକ୍ଷା ଅନୁଷ୍ଠାନଗୁଡ଼ିକର ସମନ୍ୱୟରେ ହେଉ ‘ମଲଟି-ଡିସିପ୍ଲିନାରୀ’ ଶିକ୍ଷା ବ୍ୟବସ୍ଥା
- ଭିସୁଟ ପରିସରରେ ପ୍ରଶିକ୍ଷଣ ଓ ନିଯୁକ୍ତି ଭବନ ଏବଂ ସ୍ପୋର୍ଟ୍ସ କମ୍ପଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର, (ପିଆଇବି) : ସମ୍ବଲପୁର/ବୁର୍ଲା, ୧୫ ଅପ୍ରେଲ ୨୦୨୬ – ବର୍ତ୍ତମାନର ପରିବର୍ତ୍ତିତ ବିଶ୍ୱରେ କେବଳ ଡିଗ୍ରୀ ବା ସାର୍ଟିଫିକେଟ୍ ଯଥେଷ୍ଟ ନୁହେଁ, ବରଂ ‘ଦକ୍ଷତା ଆଧାରିତ ଶିକ୍ଷା’ ହିଁ ଜଣେ ଛାତ୍ରର ପ୍ରକୃତ ପରିଚୟ ବୋଲି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) ପରିସରରେ ‘ଜୋହୋ ସ୍କିଲ୍ ହବ୍’ର ଲୋକାର୍ପଣ କରିବା ସହ ପେଟିଏମ୍-ୱିଜଡମ୍ ଅନ୍ ହୁଇଲ୍ସ (ଜ୍ଞାନ ବାହାନ)ର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।
ବିଶ୍ୱସ୍ତରୀୟ ଆଇଟି କମ୍ପାନୀ ‘ଜୋହୋ’ ସହଯୋଗରେ ସ୍ଥାପିତ ‘ଜୋହୋ ସ୍କିଲ୍ ହବ୍’କୁ ଲୋକାର୍ପଣ କରି ମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ତାଲିମ କେନ୍ଦ୍ର ନୁହେଁ ବରଂ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ । ଏଠାରେ ଅତ୍ୟାଧୁନିକ କ୍ଲାସରୁମ୍ ଓ ପାର୍ଟନର ଅଫିସ୍ ଜରିଆରେ ଛାତ୍ରଛାତ୍ରୀମାନେ ବାସ୍ତବିକ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ପାଇବେ । ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ଜୋହୋର ଅତ୍ୟାଧୁନିକ ଟେକ୍ନୋଲୋଜି ଉପରେ ତାଲିମ ପାଇପାରିବେ । ଜୋହୋ ସ୍କିଲ୍ ହବ୍ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ନିପୁଣ କରିବ । ଯେଉଁମାନେ ନିଜର ଦକ୍ଷତା ପ୍ରମାଣିତ କରିବେ, ସେମାନଙ୍କୁ ଜୋହୋର ପାର୍ଟନର ନେଟୱାର୍କ ସହ ଦେଶ-ବିଦେଶରେ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ । ଜୋହୋ ପକ୍ଷରୁ Race2Cloud ପରି ସଂସ୍ଥାଗୁଡ଼ିକ ଓଡ଼ିଶାରେ ନିଜର ବେସ୍ ସ୍ଥାପନ କରିବା ଆଗାମୀ ଦିନରେ ସମଗ୍ର ଦେଶ ପାଇଁ ଏକ ମଡେଲ ସାଜିବ ।
ଶ୍ରୀ ପ୍ରଧାନ କହିଛନ୍ତି, ସାମାଜିକ ଦାୟିତ୍ୱବୋଧର ଏକ ଅଂଶସ୍ୱରୂପ ପେଟିଏମ ଫାଉଣ୍ଡେସନ ଏବଂ ଭିସୁଟର ମିଳିତ ସହଯୋଗରେ ଜ୍ଞାନ ବାହନର ଶୁଭାରମ୍ଭ ପ୍ରଂଶସନୀୟ । ଏହି ଅତ୍ୟାଧୁନିକ ବସ୍ ଗ୍ରାମାଞ୍ଚଳର ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ଡିଜିଟାଲ୍ ଏବଂ ଆର୍ଥିକ ସାକ୍ଷରତା ପ୍ରଦାନ କରିବ। ଏହି ପଦକ୍ଷେପ ତୃଣମୂଳ ସ୍ତରରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ସୁଦୃଢ଼ କରିବ । ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ଜୋହୋ, ପେଟିଏମ ଏବଂ ଭିସୁଟକୁ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ବୁର୍ଲାର ଭିସୁଟ ଅନୁଷ୍ଠାନ ସର୍ବଦା ଗୋଟିଏ ଅଗ୍ରଣୀ ଅନୁଷ୍ଠାନ ଭାବେ ବୈଷୟିକ ଜ୍ଞାନକୌଶଳରେ ନିଜର ଚରିତ୍ରକୁ ପ୍ରତିପାଦିତ କରିଛି । ଭିସୁଟ୍ ସର୍ବଦା ଏକ ପ୍ରାୟୋଗିକ ଶିକ୍ଷା କେନ୍ଦ୍ର ଭାବେ କାର୍ଯ୍ୟଭିତ୍ତିକ ଶିକ୍ଷାକୁ ଗୁରୁତ୍ୱ ଦେଇଆସିଛି । ଜୋହୋ ପରି ବିଶ୍ୱସ୍ତରୀୟ କମ୍ପାନୀର ସହଯୋଗରେ ଏବେ ସମ୍ବଲପୁରର ଇଞ୍ଜିନିୟରିଂ ଓ ଅଣ-ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଟେକ୍ନୋଲୋଜିରେ ଦକ୍ଷ ହୋଇ ନିଜକୁ ନିଯୁକ୍ତିଦାତା ଭାବେ ଗଢ଼ିତୋଳିବେ ।
ସମ୍ବଲପୁରର ଶିକ୍ଷା କ୍ଲଷ୍ଟର ସମ୍ପର୍କରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି ଯେ, ଭିସୁଟର ବୈଷୟିକ ଜ୍ଞାନକୌଶଳ, ଭିମସାରର ଚିକିତ୍ସା ବିଜ୍ଞାନ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ଏବଂ ଆଇଆଇଏମ. ସମ୍ବଲପୁରର ମ୍ୟାନେଜମେଣ୍ଟ ଦକ୍ଷତାକୁ ସମନ୍ୱିତ କରି ଏକ ‘ମଲଟି-ଡିସିପ୍ଲିନାରୀ’ ଶିକ୍ଷା ବ୍ୟବସ୍ଥା ତିଆରି କରାଯିବ । ଏଥିପାଇଁ ସବୁ ଶିକ୍ଷାନୁଷ୍ଠାନର ପ୍ରାଧ୍ୟାପକମାନେ ଯୋଜନା କରିବା ଦରକାର । ଆଇଆଇଟି ମାଡ୍ରାସ ସହ ମିଶି ପାଠ୍ୟକ୍ରମର ଆଧୁନିକୀକରଣ ଏବଂ ଆଇଆଇଟି କାନପୁର ସହ ସହରୀ ସ୍ଥାୟୀ ବିକାଶ ପାଇଁ ହୋଇଥିବା ଚୁକ୍ତି ବୁର୍ଲାକୁ ଏକ ବିଶ୍ୱସ୍ତରୀୟ ଜ୍ଞାନର କେନ୍ଦ୍ର ଓ ରୋଜଗାର ସୃଷ୍ଟିର ପ୍ରମୁଖ ସ୍ଥଳରେ ପରିଣତ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ଏକ ନୂତନ ‘ପ୍ରଶିକ୍ଷଣ ଓ ନିଯୁକ୍ତି ଭବନ’ ଏବଂ ‘ସ୍ପୋର୍ଟ୍ସ କମ୍ପଲେକ୍ସ’ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ବୈଷୟିକ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଶାରୀରିକ ବିକାଶ ଓ କ୍ରୀଡ଼ା ପ୍ରତିଭାକୁ ଉନ୍ନୀତ କରିବାରେ ସହାୟକ ହେବ। ଏହି ଅବସରରେ ମନ୍ତ୍ରୀ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଇନୋଭେଟରମାନଙ୍କୁ ମଧ୍ୟ ସମ୍ମାନିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାଏକ, ସମ୍ବଲପୁର ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର, ଜୋହୋ କର୍ପୋରେସନର ନିର୍ଦ୍ଦେଶକ ଶ୍ରୀ ରାଜେନ୍ଦ୍ରନ ଦଣ୍ଡପାଣୀ, ପେଟିଏମର ପ୍ରତିନିଧି ଏବଂ ଭିସୁଟର କୁଳପତି ପ୍ରମୁଖ ଉପସ୍ଥିତ ଥିଲେ ।