om academy

କୋସଲାଞ୍ଚଳ ପ୍ରତି କରୋନା ଚିକିତ୍ସା ଦିଗରେ ପକ୍ଷପାତ ଜନିତ ମନୋଭାବ ପୋଷଣ ନ କରୁ : କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲାଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଉଦ୍‌ବେଗ ଜନକ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ମତବ୍ୟକ୍ତ କରିଛି । ଆଜି ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସମ୍ବଲପୁର ଓ ନୂଆପଡା ସମେତ ସମଗ୍ର କୋସଲାଞ୍ଚଳରେ ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ଓ ଜନସାଧାରଣଙ୍କୁ ଆବଶ୍ୟକୀୟ ଚିକିତ୍ସା ଦେବାରେ ପ୍ରଶାସନ କ୍ରମାଗତ ବିଫଳ ହୋଇଛି ଏବଂ ଲୋକେ ମଧ୍ୟ କୋଭିଡ୍‌ ଗାଇଡଲାଇନକୁ ଯେଉଁଭଳି ଭାବରେ ଅନାବଶ୍ୟକ ରୂପେ ଉଲଙ୍ଘନ କରିବାରେ ବ୍ୟସ୍ତ ରହୁଛନ୍ତି, ଏହା ପରିସ୍ଥିତିକୁ ଆହୁରି ଜଟିଳ କରିଦେଉଛି । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଆଞ୍ଚଳିକ ବୈଷମ୍ୟ ନୀତି ଯୋଗୁଁ କୋସଲାଞ୍ଚଳରେ ସଠିକ୍‌ ସମୟରେ ସଠିକ୍‌ ଚିକିତ୍ସା କରାଯାଇ ପାରିଲାନାହିଁ । ଟୀକାକରଣରେ ମଧ୍ୟ ପାତର ଅନ୍ତର କରାଯାଉଛି । ଉପକୂଳ ଓଡିଶାରେ ବିଶେଷତଃ ଖୋର୍ଦ୍ଧା ଓ କଟକ ଅଂଚଳରେ କୋଭାକ୍ସିନ ଦିଆଯାଉଥିବା ବେଳେ କୋସଲାଞ୍ଚଳରେ କୋଭିସିଲ୍ଡ ଦିଆଯାଉଛି । ସେଠାରେ ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ଟୀକାକରଣ ହୋଇ ଯାଇଥିଲେ ସୁଦ୍ଧା କୋସଲାଞ୍ଚଳରେ ତାହାର ଶୁଭାରମ୍ଭ କରାଯାଇନାହିଁ । ଅନ୍ୟ ପକ୍ଷରେ ବାରମ୍ବାର ଦାବୀ କରାଯିବା ସତ୍ତେ୍ୱ ଘରକୁ ଘର ବୁଲି ଟେଷ୍ଟିଂ ଓ ପ୍ରତି ଘରକୁ କରୋନା କିଟ୍‌ସ୍‌ ଯୋଗାଇବାରେ ପ୍ରଶାସନର ଆନ୍ତରିକତା ଦେଖାଯାଉନାହିଁ । ଡାକ୍ତର ଅଭାବ ଥିବା କୋସଲାଞ୍ଚଳକୁ ଏଭଳି ସଂଗୀନ ସମୟରେ ଅନେକ ଡାକ୍ତରକୁ ଉପକୂଳ ଅଂଚଳକୁ ନେଇ ଯିବାରୁ ଡାକ୍ତର ଓ ପରାମେଡିକାଲ ଷ୍ଟାଫ୍‌ ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । କୋଭିଡ୍‌ ଡାକ୍ତରଖାନାମାନଙ୍କ ଅବସ୍ଥା ଅବର୍ଣ୍ଣନୀୟ । ସେଥିପାଇଁ ସାମାନ୍ୟ ସକ୍ଷମତା ଥିବା ଲୋକ ଏ ଅଞ୍ଚଳ ଛାଡି ବାହାରକୁ ଚିକିତ୍ସା ପାଇଁ ଯାଇ ଆର୍ଥିକ ଲୁଟ୍‌ର ଶିକାର ହେଉଛନ୍ତି । ଏଭଳି ଜଟିଳ ମାନସିକ ସମସ୍ୟା ସମୟରେ ରାଜ୍ୟ ସରକାର କୋସଲାଞ୍ଚଳକୁ ସାବତ ପୁଅ ନ ଭାବି ଖୋଲା ହୃଦୟରେ ସାହାଯ୍ୟ କରନ୍ତୁ ଏବଂ କରୋନା ଜନିତ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂପର୍କରେ ସଠିକ୍‌ ତଥ୍ୟ ଯୋଗାନ୍ତୁ । ମୃତ୍ୟୁ ପରେ ମୃତକ ରୋଗ ଆକ୍ରାନ୍ତ ଶବକୁ ମର୍ଯ୍ୟାଦା ସହ ସତ୍କାର କରନ୍ତୁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ନେତୃମଣ୍ଡଳି ଅପିଲ କରିଛନ୍ତି ।

ଅନ୍ୟ ପକ୍ଷରେ ଏ ସମସ୍ୟାକୁ ମୁକାବିଲା କରିବା ଦିଗରେ ଜନସାଧାରଣଙ୍କ ମଧ୍ୟ ଏକ ବଡ ଦାୟିତ୍ୱ ଥିବାରୁ ଲୋକେ ଅଯଥାରେ ଘରୁ ବାହାରି ଓ ବୃଥା ଗହଳି କରି କରୋନା ଚେନକୁ ଶକ୍ତିଶାଳି ନ କରିବାକୁ କୋସଲ ରାଜ୍ୟ ସମନ୍ୱୟ ସମିତି ସମସ୍ତଙ୍କୁ ଅନୁରୋଧ କରୁଛି । ଲକ୍‌ ଡାଉନ ଯୋଗୁଁ କ୍ଷତିଗ୍ରସ୍ତ ଦିନ ମଜୁରିଆ, ଖଟିଖିଆ, ଛୋଟ ବ୍ୟବସାୟୀ, ରିକ୍ସା ଓ ଅଟୋ ଚାଳକ ତଥା ଅନ୍ୟାନ୍ୟ ଲୋକଙ୍କ ପାଇଁ ସରକସର ଅବଶ୍ୟକୀୟ ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ ବୋଲି ସମିତି ଦାବୀ କରୁଛି । ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଆଗେଇ ଆସିଥିବାରୁ ଏବଂ କୋସଲ ଆନ୍ଦୋଳନ ସହ ସଂପର୍କିତ ବିଭିନ୍ନ ସଂଗଠକ ଓ ସଂଗଠନ ସକ୍ରିୟ ଭାବରେ କାମ କରୁଥିବାରୁ ସମନ୍ୱୟ ସମିତି ତରଫରୁ ସମସ୍ତଙ୍କୁ ସାଧୁବାଦ ଜଣାଇଛି । ଏହା ଛଡା ନିଜକୁ ସୁରକ୍ଷିତ ରଖି ନିସ୍ୱାର୍ଥପର ଭାବରେ ଯାହା ଦ୍ୱାରା ଯାହା ସମ୍ଭବ ଲୋକଙ୍କୁ ସାହାଯ୍ୟ କରିବାକୁ ସମନ୍ୱୟ ସମିତି କୋସଲାଞ୍ଚଳର ସମସ୍ତ ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଅନୁରୋଧ କରୁଛି । ସମସ୍ତେ ମିଶି ଏହି ବୈଷୟିକ ମହାମାରୀକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବାକୁ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଏକ ମିଳିତ ପ୍ରେସ ବିବୃତ୍ତିରେ ଆହ୍ୱାନ କରାଯାଇଛି । କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର, କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଂଜନ ସାହୁ, ସାଧାରଣ ସଂପାଦକ ସୁନିଲ ପୁରୋହିତ, ବିଭୁଦତ୍ତ ମିଶ୍ର, ବରିଷ୍ଠ ସଂଗଠକ ବିକ୍ରମ ବହିଦାର, ବଲାଙ୍ଗିର ଜୋନର ସଂଯୋଜକ ଶରତ ହୋତା, ରବି ମିଶ୍ର, ରଣରାଜ ସିଂଦେଓ ପ୍ରମୁଖ ମିଳିତ ଅନୁରୋଧରେ ପ୍ରସ୍ତୁତ ଏ ଅପିଲରେ କରୋନା ସଂପର୍କିତ ତଥା ପରିବେଷଣ ଦିଗରେ ସାମ୍ବାଦିକମାନେ ଯେଉଁଭଳି ନିର୍ଭିକ ପ୍ରଚେଷ୍ଟା କରୁଛନ୍ତି, ତାଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.

one × one =