pakka

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡିଶାକୁ ସ୍ୱତନ୍ତ୍ର ଭାବେ ୧୦ ଲକ୍ଷ ଘର ଦିଆଯାଉ, ସାମ୍ବାଦିକ ସମ୍ମିଳନୀରେ ଦାବୀ କଲା କେଏମ୍‌ଏମ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡିଶାକୁ ସ୍ୱତନ୍ତ୍ର ଭାବେ ୧୦ ଲକ୍ଷ ଘର ଦିଆଯାଉ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛି କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା (କେଏମ୍‌ଏମ୍‌) । କୁହାଯାଇଛି ଯେ, ପଶ୍ଚିମ ଓଡିଶା ପ୍ରାୟ ସମସ୍ତ କ୍ଷେତ୍ରରେ ଅବହେଳିତ, ଶୋଷିତ ହୋଇଆସୁଛି । ପ୍ରାୟ ୨ କୋଟି ଲୋକ ବସବାସ କରୁଥିବା ଏହି ଅଞ୍ଚଳ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଶୋଷଣ କରି ଆସୁଛନ୍ତି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ପାତର ଅନ୍ତର । କେଏମ୍‌ଏମ୍‌ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ଆହୁରି କୁହାଯାଇଛି ଯେ, ବିଗତ ଆର୍ଥିକ ବର୍ଷ ୨୦୨୦-୨୧ରେ କେନ୍ଦ୍ର ସରକାରଙ୍କ ତରଫରୁ ଓଡିଶାକୁ ୮ ଲକ୍ଷ ୧୭ ହଜାର ଆବାସ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଯୋଗାଇ ଦିଆଯାଇଥିବା ବେଳେ ପଶ୍ଚିମ ଓଡିଶା ଏହି ଯୋଜନାରୁ ବଞ୍ଚିତ ହୋଇଥିଲା । ୮ ଲକ୍ଷ ୧୭ ହଜାର ଘରକୁ ବନ୍ୟା ବାତ୍ୟା କାରଣ ଦର୍ଶାଇ କେବଳ ଉପକୂଳ ଓଡିଶାରେ ବଣ୍ଟନ କରାଯାଇ ପଶ୍ଚିମ ଓଡିଶାକୁ ତା’ ଅଧିକାରରୁ ବଞ୍ଚିତ କରାଯାଇଥିଲା । ପଶ୍ଚିମ ଓଡିଶାର ପ୍ରାୟ ୮ଟି ଜିଲ୍ଲା ବଲାଙ୍ଗିର, ବରଗଡ, କଳାହାଣ୍ଡି, ସମ୍ବଲପୁର, ବୌଦ୍ଧ, ସୁନ୍ଦରଗଡ, ଝାରସୁଗୁଡା ଓ ଦେବଗଡ ଜିଲ୍ଲାକୁ ଏହି ଯୋଜନାରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା, ଯାହା ଅଞ୍ଚଳ ପ୍ରତି ସରକାରୀ ଉଦାସୀନତାକୁ ସ୍ପଷ୍ଟ କରିଛି । ଏଠାରେ ଆହୁରି କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ଭାରତ ବର୍ଷର ଏକ ଲୋକାଭିମୂଖୀ ଯୋଜନା । ୨୦୨୪ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦେବା ଉଦ୍ଦେଶ୍ୟରେ ଏବେ ଭାରତ ସରକାର ଏହି ଯୋଜନା ମୁତାବକ କାମ କରୁଛନ୍ତି । ଏପଟେ ଓଡିଶାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ତରଫରୁ ଆସୁଥିବା ସମସ୍ତ ଯୋଜନାକୁ କେବଳ ଉପକୂଳ ଅଞ୍ଚଳର ବିକାଶ ଦିଗରେ ଲଗାଇ ପଶ୍ଚିମ ଓଡିଶାକୁ ଅଣଦେଖା କରୁଛନ୍ତି । ବିଗତ ୩ ବର୍ଷ ଧରି ପଶ୍ଚିମ ଓଡିଶା ଏହି ଯୋଜନା ମାଧ୍ୟମରେ ଘର ଖଣ୍ଡିଏ ପାଉନଥିବା ବେଳେ ଏହାକୁ ନେଇ ପଶ୍ଚିମ ଓଡିଶା ସାରା ଅନେକ ଆନ୍ଦୋଳନ ମଧ୍ୟ ହୋଇସାରିଛି । ପ୍ରାୟ ୧ ହଜାର କିଲୋମିଟର ବ୍ୟାପି ପଦଯାତ୍ରା କରାଯାଇ ଏହି ଦାବୀ ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ପଶ୍ଚିମ ଓଡିଶାବାସୀ କୌଣସି ସୁଫଳ ପାଇପାରି ନାହାନ୍ତି । ତେବେ ଚଳିତ ଆର୍ଥିକ ବର୍ଷରେ କେବଳ ପଶ୍ଚିମ ଓଡିଶା ପାଇଁ ସ୍ୱତନ୍ତ୍ର ଭାବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୧୦ ଲକ୍ଷ ଘରର ବ୍ୟବସ୍ଥା କରାଯାଉ ଓ ଏହି ଅଞ୍ଚଳର ଜନ ଭାବନାକୁ ଦୃଷ୍ଟିରେ ରଖି ଏହି ଦାବୀକୁ ନିଜ ନିଜ ମାଧ୍ୟମରେ ପଶ୍ଚିମ ଓଡିଶାର ସମସ୍ତ ସାଂସଦ ଓ ବିଧାୟକ ମଧ୍ୟ ଦାବୀ ଉପସ୍ଥାପନ କରନ୍ତୁ ବୋଲି କେଏମ୍‌ଏମ୍‌ ମତ ଦେଇଛି । କେଏମ୍‌ଏମ୍‌ ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସମ୍ପାଦକ ସିପୁନ ଖମାରୀ, ଉପସଭାପତି ଗଣେଶ ସାହୁ, ସମ୍ପାଦକ ଲୋକେଶ ଭୋଇ, ଜିଲ୍ଲା ସଭାପତି ବିକାଶ ସା, କଣ୍ଟାବାଞ୍ଜି ସଭାପତି ବିଭୁ ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 1 =