ଭାଷା ସାହିତ୍ୟର ବିକାଶ ସଂପର୍କିତ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଷା ହିଁ ଅସ୍ତିତ୍ୱ ଓ ଭାଷା ହିଁ ଭବିଷ୍ୟତ ଶୀର୍ଷକରେ ଏକ ଆଲୋଚନାଚକ୍ର ନେସ୍‌ନାଲ୍‌ ସର୍ଭିସ୍‌ ଫାଉଣ୍ଡେସନ୍‌ ବଲାଙ୍ଗିର ଆନୁକୂଲ୍ୟରେ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଧୁଭୂଷଣ ସିଂହଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅଧ୍ୟାପକ ସନ୍ଦୀପ କୁମାର କୁଅଁର ଆଲୋଚକ ଭାବରେ ଯୋଗଦେଇ ମାତୃଭୂମି ଓ ମାତୃଭାଷାର କଥା ନ କହି ଆମେ ବଞ୍ଚି ପାରିବାନାହିଁ । ଭାଷା ମଣିଷର ଅସ୍ତିତ୍ୱ ଓ ପରିଚୟ । କୌଣସି ଭାଷା ଲୋକ ମୁଖରେ, ଲେଖାପଢାରେ ଓ ଭାଷିକ ଅସ୍ମିତାରେ ବଂଚେ । ତେଣୁ ନିଜର ମାତୃଭାଷାକୁ ସୁରକ୍ଷିତ ରଖି ପରବର୍ତ୍ତୀ ପିଢିକୁ ପ୍ରଦାନ କରିବା ଆମର ଧୈୟ ହେବାର ଜରୁରୀ ବୋଲି କହି ୟୁନେସ୍କୋର ଦ୍ୱାରା ପ୍ରଦତ୍ତ ମାନଦଣ୍ଡରେ ଆମର ମାତୃଭାଷାକୁ ପରଖି ଦେଖିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଅରୁଣ କୁମାର ନାଏକ ଓ ସଂଗଠକ ଗଗନ ବିହାରୀ ମହାନ୍ତି ଆନୁଷ୍ଠାନିକ ଭାବରେ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିଥିବା ବେଳେ ସଂପାଦକ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ସମସ୍ତଙ୍କୁ ସ୍ୱାଗତ କରି ବିଷୟବସ୍ତୁ ଉପସ୍ଥାପନ କରିଥିଲେ । ସଂଗଠକ ଗଗନ ବିହାରୀ ମହାନ୍ତି, ଲେଖକ ମଧୁସୂଦନ ଦାଶ, କବି ମଧୁସୂଦନ ନାୟକଙ୍କ ସଂପର୍କରେ ଅଭିମତ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ନବୀନ କିଶୋର କୁଅଁର ଓଡିଶା ସଂଗୀତ ନାଟକ ଏକାଡ଼େମୀର ସଦସ୍ୟ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଳୟ ଆନନ୍ଦ କୁମାର ତ୍ରିପାଠୀଙ୍କ ସଭା ସଂଯୋଜନାରେ ଆଲୋଚନାଚକ୍ର ପରିଚାଳିତ ହୋଇଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

20 − thirteen =

error: Content is protected !!