pakka

ବଲାଙ୍ଗିର ଜିଲ୍ଲାରେ ଗୋଷ୍ଠୀଭିତ୍ତିକ ଅତିଶୟ ପୁଷ୍ଟିହୀନତା ପରିଚାଳନା (ସିମାମ) କାର୍ଯ୍ୟକ୍ରମର ଶୁଭାରମ୍ଭ

bbehera
  • ଅଙ୍ଗନୱାଡି କେନ୍ଦ୍ରରେ ହିତାଧିକାରୀଙ୍କୁ ଜିଲ୍ଲାପାଳ ବଣ୍ଟନ କଲେ ପୁଷ୍ଟି ବର୍ଦ୍ଧିତ ଛତୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ସମସ୍ତ ୧୪ ଗୋଟି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପରେ ଗୋଷ୍ଠୀଭିତ୍ତିକ ଅତିଶୟ ପୁଷ୍ଟିହୀନତା ପରିଚାଳନା (ସିମାମ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ବଲାଙ୍ଗିର ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ବ୍ରାହ୍ମଣପଡା ଅଙ୍ଗନୱାଡି କେନ୍ଦ୍ର ଠାରେ ୬ ଜଣ ହିତାଧିକାରୀ ଓ ଲୋଇସିଂହା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ହୀରାପୁର ଅଙ୍ଗନୱାଡି କେନ୍ଦ୍ର ଠାରେ ୬ ଜଣ ହିତାଧିକାରୀଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ପୁଷ୍ଟି ବର୍ଦ୍ଧିତ ଛତୁଆ ବଣ୍ଟନ କରିଥିଲେ । ଅଙ୍ଗନୱାଡି କେନ୍ଦ୍ରରେ ଉପସ୍ଥିତ ପୁଷ୍ଟିହୀନ ଶିଶୁଙ୍କ ଅଭିଭାବକଙ୍କ ସହ ପୁଷ୍ଟିହୀନତାର କାରଣ ସମ୍ପର୍କରେ ପଚାରି ବୁଝିବା ସହ ଏହାର ନିରାକରଣ ତଥା ପ୍ରତିକାର ପାଇଁ ଦିଆଯାଇଥିବା ଖାଦ୍ୟର ଉପଯୁକ୍ତ ବ୍ୟବହାର କରି ଶିଶୁମାନଙ୍କୁ ପରିଷ୍କାର ପରିଚ୍ଛନତା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ଶିଶୁମାନଙ୍କ ଖାଇବା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ । ଅଙ୍ଗନୱାଡି କେନ୍ଦ୍ରରେ ପୁଷ୍ଟି ବର୍ଦ୍ଧିକ ଖାଦ୍ୟ ପ୍ରସ୍ତୁତି ଏବଂ ସ୍ଥାନୀୟ ଅଞ୍ଚଳର ଉପଲବ୍ଧ ପନିପରିବା ଖାଦ୍ୟ ଇତ୍ୟାଦିର ପ୍ରଦର୍ଶନ କରାଯାଇଥିଲା । ବ୍ରାହ୍ମଣପଡା ଅଙ୍ଗନୱାଡି କେନ୍ଦ୍ର ଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ଥଲାଲ ଦୀପ, ମମତା ଯୋଜନାର ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ, ପ୍ରୋଗ୍ରାମ ଅଫିସର, ସ୍ଥାନୀୟ କାଉନସିଲର, ବଲାଙ୍ଗିର ସିଡିପିଓ ଏବଂ ଆଶା କର୍ମୀମାନେ ଉପସ୍ଥିତ ଥିଲେ । ସେହିପରି ହୀରାପୁର ଅଙ୍ଗନବାଡି କେନ୍ଦ୍ର ଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଲୋଇସିଂହା ଅତିରିକ୍ତ ବିଡିଓ, ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ସିଡିପିଓ ତଥା ଆଶା କର୍ମୀମାନେ ଉପସ୍ଥିତ ଥିଲେ । ସମନ୍ଵିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ଗୋଷ୍ଠୀସ୍ତରୀୟ ପରିଚାଳନା କରିବା ପାଇଁ କାର୍ଯ୍ୟ ସମ୍ପାଦନାର ସାଧାରଣ ପ୍ରକ୍ରିୟା ସ୍ଥାପନ କରି ପରିଚାଳନା ନିମନ୍ତେ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ନୋଡାଲ ସେଣ୍ଟର ଭାବେ ବ୍ୟବହାର କରାଯିବ । ଗୋଷ୍ଠୀ ସ୍ତରରେ ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ନିମନ୍ତେ ସମସ୍ତ ସ୍ତରରେ ସ୍ୱାସ୍ଥ୍ୟ ସହିତ ଉତ୍ତମ ସମନ୍ଵୟରେ ମାନକ ସର୍ତ୍ତାବଳୀ ବ୍ୟବହାର କରି ପ୍ରଭାବଶାଳୀ ବ୍ୟବସ୍ଥା ଗ୍ରହଣ କରାଯିବ । ଅଙ୍ଗନୱାଡି କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଦ୍ଵାରା ଗୋଷ୍ଠୀଭିତ୍ତିକ ଅତିଶୟ ପୁଷ୍ଟିହୀନତା ପରିଚାଳନା (ସିମାମ) କାର୍ଯ୍ୟକ୍ରମର ଉପକାରିତା ପାଇଁ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଓ ସ୍ୱାସ୍ଥ୍ୟ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କ ଦକ୍ଷତା ବିକାଶ କରାଯିବା ଏହି ଯୋଜନାର ଉଦ୍ଦେଶ୍ୟ ଅଟେ ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଦୀପ ସୂଚନା ଦେଇଥିଲେ ।

Leave A Reply

Your email address will not be published.

3 × four =