csstore

ବଲାଙ୍ଗିର ବ୍ରାହ୍ମଣପଡ଼ାର ଜୁଆଡ଼ିଙ୍କୁ ଗିରଫ୍‌ କଲା ଟାଉନ୍‌ ପୋଲିସ : ପାଖାପାଖି ୨ ଲକ୍ଷ ଟଙ୍କା ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରେଲୱେ ଷ୍ଟେସନ୍‌ ରୋଡ଼୍‌ରେ ଥିବା ହୋଟେଲ ଗୋଲ୍‌ଡେ଼ନ୍‌ ଇନ୍‌ ଉପରେ ଗତ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା ବଲାଙ୍ଗିର ପୋଲିସ । କୌଣସି ସୂତ୍ରରୁ ଏହି ହୋଟେଲ୍‌ର ୨୦୫ ନମ୍ବର ରୁମ୍‌ରେ ଜୁଆ ଖେଳ ଚାଲିଥିବା ସଂପର୍କରେ ସୂଚନା ମିଳିବା ପରେ ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ୍‌ ମନବୋଧଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଗତ ରାତି ପ୍ରାୟ ୧୧ଟା ସମୟରେ ତାୱଡ଼୍‌ତୋଡ଼୍‌ ଚଢ଼ାଉ କରି ୭ ଜଣ ଜୁଆଡ଼ିଙ୍କୁ ଏହି ମାମଲାରେ ଗିରଫ୍‌ କରିଥିଲା । ଏହି ମାମଲା ସଂପର୍କରେ ଆଜି ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ୍‌ ବାଗ । ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ଏବେ ଜୁଆ ଓ ନିଶା କାରବାରକୁ ରୋକିବା ପାଇଁ ଏକ ସ୍ପେସାଲ୍‌ ଡ୍ରାଇଭ୍‌ ଚାଲିଥିବା ବେଳେ ଏହି କ୍ରମରେ ଗତକାଲି ରାତିରେ ହୋଟେଲ ଗୋଲ୍‌ଡେ଼ନ୍‌ ଇନ୍‌ ଉପରେ ଅଚାନକ ଚଢ଼ାଉ କରିଥିଲା ବଲାଙ୍ଗିର ଟାଉନ୍‌ ପୋଲିସ । ଏହି ଚଢ଼ାଉରେ ପୋଲିସ ବଲାଙ୍ଗିର ବ୍ରାହ୍ମଣପଡ଼ା ଓ ବରପାଲିପଡ଼ାର ୭ ଜଣ ଜୁଆଡ଼ିଙ୍କୁ ଗିରଫ୍‌ କରିବା ସହ ସେମାନଙ୍କଠାରୁ ତିନି ସେଟ୍‌ ତାସ୍‌ କାର୍ଡ, ଗୋଟିଏ ହୋଣ୍ଡା ଏକ୍‌ଟିଭା କାର୍‌, ଗୋଟିଏ ୟାମା ଏଫ୍‌ଜେଡ଼୍‌ ମୋଟର ସାଇକେଲ, ୭ଟି ମୋବାଇଲ୍‌ ଫୋନ୍‌ ଓ ନଗଦ ୧ ଲକ୍ଷ ୮୮ ହଜାର ୩ ଶହ ଟଙ୍କା ଜବତ୍‌ କରିଥିଲା । ଗିରଫ୍‌ ଅଭିଯୁକ୍ତମାନେ ହେଲେ ବରପାଲିପଡ଼ାର ବିରେନ୍ଦ୍ର କୁମାର ମିଶ୍ର(୪୪), ବ୍ରାହ୍ମଣପଡ଼ାର ରଂଜନ ମହାନନ୍ଦିଆ(୪୫), ସ୍ୱରୂପ ମହାକୁଡ଼(୨୮), ବିଭୂତିଭୂଷଣ ମିଶ୍ର(୩୨), ଜୟକୃଷ୍ଣ ସ୍ୱାଇଁ(୨୮), ମୁକେଶ ଓରଫ୍‌ କରମ କୁକ୍ରେଜା(୩୨) ଓ କୈଳାଶ ବେରିହା(୩୨) । ଏହି ଚଢ଼ାଉରେ ଟାଉନ୍‌ ଥାନା ଆଇଆଇସି ଶ୍ରୀ ମନବୋଧଙ୍କ ସହ ଏସ୍‌ଆଇ ବି. ବିଶ୍ୱାଲ, ଏନ୍‌.କେ.ଭୋଇ, ଏଏସ୍‌ଆଇ ଏମ୍‌.ପ୍ରଧାନଙ୍କ ସହ ପୋଲିସ୍‌ କର୍ମଚାରୀମାନେ ସାମିଲ୍‌ ଥିବା ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ୍‌ ବାଗ୍‌ ।

jayashree
Leave A Reply

Your email address will not be published.