ନିଷ୍ଠା ଓ ଭକ୍ତିର ସହ ପାଳିତ ହେଲା ଭଉଁରିଆ ମାତାଙ୍କ ଝାମୁ ଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଯୁଗ ଯୁଗ ଧରି ପ୍ରକୃତିକୁ ବିବିଧ ରୂପରେ ଉପାସନା କରି ଆସୁଥିବା ଆଦିବାସୀ, ନିଜର ସେହି ଦୃଢ଼ତା ବଳରେ ତେଜୀୟାନ ନିଆ ଉପରେ ଚାଲି ହଜାର ହଜାର ଶ୍ରଦ୍ଧାଳୁଙ୍କ ଧର୍ମୀୟ ବିଶ୍ୱାସ ସାଙ୍ଗକୁ ଦୃଢ଼ତା ବଜାୟ ରଖିବାରେ ସଫଳ ହୋଇଛନ୍ତି । ଆଜିର ବିଜ୍ଞାନ ଯୁଗର ମଣିଷମାନେ ସାଧାରଣ ଲୋକଙ୍କ ଯୁଗ ଯୁଗର ବିଶ୍ୱାସକୁ ଅନ୍ଧ ବିଶ୍ୱାସ କହି ଏକ ବୃହତ୍ତର ସମାଜ ପାଇଁ ହୀନ ମାନ୍ୟତା ସୃଷ୍ଟି କରୁଥିବା ବେଳେ ଆଜି ବି ସେହି ବିଶାଳ ଉପେକ୍ଷିତ ସମାଜ ପ୍ରକୃତି ଉପାସନାରେ ନିଜର ଧେୟ ରଖି ଆସିଛନ୍ତି । ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କରଲା କୋଟ ଗ୍ରାମର ଯୁଧିଷ୍ଠିର ବାଣୁଆ ଅଞ୍ଚଳର ମଙ୍ଗଳ ପାଇଁ ନିଜର ଆରାଧ୍ୟ ଦେବୀ ମା’ ଭାଉଁରିଆ ମାତା (ଆଦି ଶକ୍ତି)ଙ୍କ ବାର୍ଷିକ ଯାତ୍ରା ଆବାହନ କରି ତାହା ମାଧ୍ୟମରେ ଏକ ନିଆରା ପରମ୍ପରା ତିଆରି କରି ପାରିଛନ୍ତି । ଗତ ୧୬ତାରିଖରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ ଯାତ୍ରାରେ ଅଞ୍ଚଳର ସମସ୍ତ ଦେବ ଦେବୀଙ୍କୁ ନିଜ ନିଜର ପ୍ରତୀକ ଧ୍ଵଜା ଓ କଣ୍ଟାଯୁକ୍ତ ସିଂହାସନ ସାଙ୍ଗରେ ଆହ୍ବାନ କରି ପୂଜା କାର୍ଯ୍ୟ ଆରମ୍ଭ କରିବା ସହିତ ଉତ୍ତମ ବର୍ଷା, ଫଳପ୍ରସୂ ଚାଷ ଓ ଲୋକଙ୍କ ମଧ୍ୟରେ ସଦ୍‌ଭାବନା କାମନା କରାଯାଇଥିଲା । ଏହି ଉତ୍ସବର ଅନ୍ତିମ ପର୍ବରେ ଆଠ ମିଟର ଲମ୍ବର ଏକ ଖାତ ଖୋଳାଯାଇ ତହିଁରେ ଅଗ୍ନି ସଂଯୋଗ କରି ଜ୍ୱଳନ୍ତ ଅଙ୍ଗାର ଉପରେ ବିଭିନ୍ନ କାଳିଶିଙ୍କ ସହ ୩୦ରୁ ଅଧିକ ଶ୍ରଦ୍ଧାଳୁ ମଧ୍ୟ ନିଆଁରେ ଚାଲୁଥିବାର ଦେଖିବାକୁ ମିଳିଥିଲା । ଏହି ଅବିଶ୍ୱାସନୀୟ ଘଟଣା ବେଳେ ହଜାର ହଜାର ଶ୍ରଦ୍ଧାଳୁ ହୁଳ ହୁଳି ଧ୍ଵନୀରେ ନିଜର ଭକ୍ତି ଅର୍ଘ୍ୟ ଜଣାଇଥିଲେ । ଆଦିବାସୀ ପରମ୍ପରାରେ ବିଭିନ୍ନ ପୂଜା ପାର୍ବଣ ସମୟରେ ଛାଗ ବଳି ଦିଆଯାଉଥିବା ବେଳେ ଏଠାରେ କିନ୍ତୁ ପାଣି କଖାରୁ ବଳି ଏକ ନୂଆ ପରମ୍ପରା ସୃଷ୍ଟି କରାଯାଇଥିଲା । ଶେଷରେ ଖଇକୁ ପ୍ରସାଦ ଭାବରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.

4 + four =